ଏସ୍ଆଇଆର୍ ପ୍ରକିୟାରେ ବଡ ତ୍ରୁଟି ; ଡିସେମ୍ବର ୯-୧୦ ଏସ୍ଆଇଆର୍ କୁ ନେଇ ଆରମ୍ଭ ହେବ ଲୋକସଭା ବିତର୍କ
ନୂଆଦିଲ୍ଲୀ;୩|୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ରାଜନୈତିକ ଉତ୍ତେଜନା ବଢିଥିଲା | ଯେଉଁ ଉତ୍ତେଜନା ଏବେ ଥଣ୍ଡା ପଡିବାରେ ଲାଗିଛି | ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ୧୨ଟି ରାଜ୍ୟରେ ଚାଲିଛି ଭୋଟର ତାଲିକ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) | ଏହି ପ୍ରକ୍ରିୟା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସହମତି ନେଇ ପହଞ୍ଚିଛନ୍ତି ଶାସକ ଏବଂ ବିରୋଧୀ ଦଳମାନେ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି | ଏଥିରେ ଉଭୟ ପକ୍ଷ ପରସ୍ପରର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଅଚଳାବସ୍ଥାର ଅବସାନ ଘଟିଥିବା କୁହାଯାଇଛି।
ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ, ଏସ୍ଆଇଆର୍ ପ୍ରକ୍ରିୟାରେ ସଂପୂର୍ଣ୍ଣ ଭାବରେ ତ୍ରୁଟି ରହିଛି | ଏହି ପ୍ରକ୍ରିୟା ଦ୍ବାରା ଲକ୍ଷ ଲକ୍ଷ ଭୋଟରଙ୍କ ନାମ କଟାଯାଉଛି। ଏବେ ସରକାର ଏହି ପ୍ରସଙ୍ଗରେ ଗୃହରେ ବିସ୍ତୃତ ଆଲୋଚନା ପାଇଁ ବିରୋଧୀଙ୍କ ଦାବି ଗ୍ରହଣ କରିଛନ୍ତି। ଡିସେମ୍ବର ୯-୧୦ ରେ ଏହାକୁ ନେଇ ଲୋକସଭାରେ ବିତର୍କ ହେବାକୁ ଯାଉଛି। ଏସ୍ଆଇଆର୍ ପ୍ରକ୍ରିୟା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ | କୌଣସି ବୈଧ ଭୋଟରଙ୍କୁ ବଞ୍ଚିତ କରାଯିବ ନାହିଁ | ଏହାର ଆଶ୍ବାସନା ସରକାର ନିଜେ ଦେଇଛନ୍ତି। ଏହି ବିତର୍କ ପୂର୍ବରୁ ଡିସେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ‘ବନ୍ଦେ ମାତରମ’ ଉପରେ ମଧ୍ୟ ଆଲୋଚନା ଆରମ୍ଭ କରିବେ। ଏସ୍ଆଇଆର୍ ବିତର୍କରେ ଭୋଟର ତାଲିକାରେ ସଂଶୋଧନ ସମେତ, ନିର୍ବାଚନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ପାଇଁ ନୂଆ ବ୍ୟବସ୍ଥା ଉପରେ ଆଲୋଚନା ହେବ।
‘ବନ୍ଦେ ମାତରମ୍’ର ୧୫୦ତମ ଜୟନ୍ତୀ ଉପଲକ୍ଷେ ଏହାଉପରେ ଗୃହରେ ପ୍ରଥମେ ଆଲୋଚନା ହେବା ଆବଶ୍ୟକ ବୋଲି ସରକାର କହିଥିଲେ | ଏହି ଯୁକ୍ତିକୁ ବିରୋଧୀ ଦଳମାନେ ଗ୍ରହଣ କରିବା ପରେ ବୁଝାମଣା ପାଇଁ ବାଟ ଫିଟିଥିଲା। ଏହାପରେ ସରକାର ଏସ୍ଆଇଆର୍ ବାବଦ ବିସ୍ତୃତ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହି ପଦକ୍ଷେପ ଦ୍ବାରା ସଂସଦ ସୁରୁଖୁରୁରେ ଚାଲିବା ପାଇଁ ବାଟ ଖୋଲିଯାଇଛି। ବିଧେୟକଗୁଡ଼ିକ ଗୃହୀତ ହେବାର ରାସ୍ତା ମଧ୍ୟ ସୁଗମ ହୋଇଛି।

