ବିଜେଡିରେ ଚାଲିଛି ଟଣାଓଟରା; ବବି ପାଲଟିଛନ୍ତି ପାଣ୍ଡିଆନଙ୍କ ଅନ୍ଧ ଭକ୍ତ, ଯିବେ କି ରାଜ୍ୟସଭା…
ଭୁବନେଶ୍ୱର;୩।୧୨: ରାଜ୍ୟ ରାଜନୀତିରେ ଚାଲିଛି ଗରାମଗରମ ମାହୋଲ | ଓଡ଼ିଶାରେ ଯେବେଠୁଁ ବିଜେଡି ବଦଳରେ ବିଜେପି ଶାସକ ଭାବରେ ନିଜର ପ୍ରଭାବ ପକାଇଛି ସେବେଠୁ ବିଜେଡି ଦଳ ମଧ୍ୟରେ ଟଣାଓଟରା ଚାଲିଛି | ତେବେ ଏହି ପରସ୍ପରର ଗୋଡ ଟାଣିବା ଭିତରେ କିଏ କାହାକୁ କଟାକ୍ଷ କରି ବିଧାନସଭାରେ ଗର୍ଜୁଛି ତ ଆଉ କିଏ କବିତା ମାଧ୍ୟମରେ ତେରେଛା ବାଣ ମାରିବାରେ ଲାଗିଛି | କିନ୍ତୁ ଏହି ରାଜନୀତିରେ ଏକ ନୂଆ ଖେଳ ଆରମ୍ଭ ହେବାକୁ ଯାଉଛି | ନିକଟ ଭବିଷ୍ୟତରେ ରାଜ୍ୟର ୪ ଟି ରାଜ୍ୟସଭା ଆସନ ଖାଲି ପଡିବାକୁ ଯାଉଛି।
ତେବେ ବିଧାନସଭାରେ ଶାସକ ବିଜେପି, ବିରୋଧୀ ବିଜେଡି ସଂଖ୍ୟା ଦୃଷ୍ଟିରୁ ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟିଏ ଆସନ ଦଖଲ କରିବା ନିଶ୍ଚିତ। ଏହା ତ ସ୍ୱାଭାବିକ କଥା ତେବେ ଏପରି ସ୍ଥଳେ ଆଉ ଗୋଟିଏ ଆସନ କୌଣସି ଦଳ ଏକକ ଭାବେ ଜିତି ପାରିବେ ନାହିଁ । ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ମଧ୍ୟ ନିଜ ଦଳରୁ କାହାକୁ ପ୍ରାର୍ଥୀ କରିବା ଆଶା ରଖିନାହିଁ । ବିଜେପି କିମ୍ବା ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଏହା ତ କଳ୍ପନା କରିବାଟା ବୃଥା । ଏପରି ସ୍ଥଳେ ଚତୁର୍ଥ ଆସନରୁ କିଏ ପ୍ରାର୍ଥୀ ଦେବ ଆଉ କିଏ କାହାକୁ ବାହ୍ୟ ସମର୍ଥନ ଦେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ବିଜେପି ହାତକୁ ଯାଉଥିବା ଦୁଇଟି ଆସନରୁ କିଏ ପ୍ରାର୍ଥୀ ହେବେ ବୈଠକରେ ପଦେ ଦୁଇ ପଦ କହି ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ବେଶ କିଛି ଆଶାୟୀ ଲବି ଆରମ୍ଭ କରିଛନ୍ତି । ହେଲେ ବିଜେଡି ହାତକୁ ଯାଉଥିବା ଗୋଟିଏ ଆସନରେ କିଏ ରାଜ୍ୟସଭାରେ ପ୍ରତିନିଧିତ୍ବ କରିବେ ତାକୁ ନେଇ ହେଉଥିବା ଚର୍ଚ୍ଚା ଭିତରେ ଦଳର ଉପସଭାପତି ପ୍ରଣବ ପ୍ରକାଶ ଦାସ ଯିଏକି ବବି ଦାସ ନାମରେ ପରିଚିତ। ତାଙ୍କ ନାମ ସମସ୍ତଙ୍କ ଆଗରେ ଥିବା ଚର୍ଚ୍ଚା ହେଉଛି । ନୂଆପଡା ଉପନିର୍ବାଚନରେ ଦଳ ପରାଜିତ ହେବା ଓ ତୃତୀୟ ସ୍ଥାନରେ ରହିବା ପରଠାରୁ ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପ୍ରାର୍ଥୀ ଠାରୁ ନିର୍ବାଚନ ପରିଚାଳନାକୁ ନେଇ ବିବାଦ ଦେଖା ଦେଇଥିଲା। ସଭାପତି ନବୀନ ପଟ୍ଟନାୟକ କେବଳ କିଛି ନେତାଙ୍କୁ ନେଇ ଚୁପ ହୋଇ ବସିଛନ୍ତି। ଦଳରେ ବିଭିନ୍ନ ନେତା ଓ ନେତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି। କିଛି ନେତା ମୁହଁ ନ ଖୋଲିଲେ ମଧ୍ୟ ଭିତରେ ଭିତରେ ଅସନ୍ତୁଷ୍ଟ ହୋଇ ସୁଯୋଗ ଅପେକ୍ଷାରେ ଅଛନ୍ତି। ଆଗାମୀ ଦିନରେ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ଦଳର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ଆଲୋଚନା ଚାଲିଥିଲା ବେଳେ ଏହାକୁ ନେଇ ମଧ୍ୟ ସାରା ରାଜ୍ୟରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି ।
ପାଣ୍ଡିଆନ ସମର୍ଥକଙ୍କ ଛଡା ଅନ୍ୟ ନେତା ଓ ନେତ୍ରୀଙ୍କ ଗୁରୁତ୍ବ ଦଳରେ ଦିନକୁ ଦିନ ହ୍ରାସ ପାଉଥିବା ଅଭିଯୋଗ ହେଉଛି। ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା ଦଳ ଛାଡ଼ୁଥିଲା ବେଳେ ଦଳର ଉପ ସଭାପତି ଥିବା ବବି ଦାସ କିନ୍ତୁ ଅସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ଥିବା ବବି ଗତ ନିର୍ବାଚନରେ ଦଳକୁ ପାଣ୍ଡିଆନଙ୍କ କଥାରେ ପରିଚାଳନା କରୁଥିଲା ବେଳେ ଦଳ ପରାଜିତ ହୋଇଥଲା। ପାଣ୍ଡିଆନ ଓ ବବିଙ୍କୁ ଦଳ ପରାଜୟ ପାଇଁ ଦାୟୀ କରିଛନ୍ତି ରାଜ୍ୟବାସୀ । ବବି ମଧ୍ୟ ନିଜେ ପରାଜିତ ହୋଇଥିଲା ବେଳେ ନିଜ ମାଙ୍କୁ ଜିତାଇ ପାରି ନାହାନ୍ତି। ଯାଜପୁର ଭଳି ବିଜେଡିର ଗଡ଼ ଭୁଶୁଡି ପଡିଛି । ହେଲେ ପାଣ୍ଡିଆନଙ୍କ ସମର୍ଥକ ହେବା ଯୋଗୁ ନବୀନ ତାଙ୍କୁ ଗୁରୁତ୍ବ ଦେଉଥିବା ଅଭିଯୋଗ ହେଉଛି । ବବିଙ୍କୁ ନେଇ ଦଳ ମଧ୍ୟରେ ବିବାଦ ମଧ୍ୟ ଦେଖା ଦେଇଛି। ଏପରି ସ୍ଥଳେ ବବିଙ୍କୁ ରାଜ୍ୟସଭା ପଠାଇବାର ଦୁଇଟି କାରଣ ଥିବା ଆଲୋଚନା ହେଉଛି। ଦୁଇଟି କାରଣ ମଧ୍ୟରୁ ଗୋଟିଏ ହେଲା ବବି ପାଣ୍ଡିଆନଙ୍କ ଅନ୍ୟତମ ଅନ୍ଧ ଭକ୍ତ। ପାଣ୍ଡିଆନଙ୍କୁ ବବି ବିଭିନ୍ନ ବାଟରେ ସୁରକ୍ଷା ପ୍ରଦାନ କରୁଛନ୍ତି । ତେଣୁ ବବିଙ୍କୁ ରାଜ୍ୟସଭା ପଠାଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ଯୋଜନା କରୁଥିବା ବିଜେଡି କରିଡରରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଏହା ହେଲେ ପାଣ୍ଡିଆନଙ୍କ କୋଟେରୀ ଗ୍ରୁପ୍ର ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା ଓ ପ୍ରତାପ ଜେନା ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ସାଜିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । କାରଣ ଏହି ତିନି ଜଣ ମଧ୍ୟ ରାଜ୍ୟସଭା ଆଶାୟୀ ତାଲିକାରେ ଅଛନ୍ତି | ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |

