୧୦ଦିନ ଧରି ବେଡିରେ ବନ୍ଧା ହେଲେ ଛାତ୍ର; ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଭିଡିଓ
ନୀଳଗିରି;୪|୧୨: ଆଦିବାସୀ ଜନଜାତି ଓ ଜାତି ତଥା ପଛୁଆବର୍ଗର ପିଲାମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି | ଏଥିପାଇଁ ସରକାର ଉପଯୁକ୍ତ ବ୍ୟୟ ମଧ୍ୟ କରୁଛନ୍ତି | ଯୋଜନା ତରଫରୁ ପିଲାମାନଙ୍କୁ ରହିବା, ଖାଇବା ଏବଂ ମାଗଣାରେ ପାଠପଢ଼ିବାର ସୁବିଧା ଦିଆଯାଇଛି | ଏଥିପାଇଁ ସରକାର ବିଭିନ୍ନ ଆଶ୍ରମ, ସେବାଶ୍ରମ ଏବଂ ଅନ୍ୟାନ୍ୟ ଦେୟମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠା କରି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। କିନ୍ତୁ ଅନ୍ୟପଟେ ନୀଳଗିରି ବ୍ଲକରେ ଜଣେ ଆଦିବାସୀ ଛାତ୍ରକୁ ଲୁହା ଶିକୁଳିରେ ବାନ୍ଧିରଖିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁଜିୟୁପି ବିଦ୍ୟାଳୟରେ ୪୦ସିଟ ଥିବା ଏକ ହଷ୍ଟେଲରେ ଆଖପାଖ ଅଂଚଳର ପିଲା ପାଠ ପଢନ୍ତି। ଉକ୍ତ ହଷ୍ଟେଲରେ ନିକଟବର୍ତ୍ତୀ କମ୍ଭାରଖଲିଆ ଗ୍ରାମର ମଳୟ ସିଂ ନାମକ ଚତୁର୍ଥ ଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବା ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଉକ୍ତ ଘଟଣା ଜାଣି ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଏଭଳି ନିନ୍ଦନୀୟ, ଜଘନ୍ୟ କାଣ୍ଡର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ତେବେ ଛାତ୍ରଜଣକ ବାରମ୍ବାର ହଷ୍ଟେଲରୁ ଲୁଚି ଘରକୁ ପଳାଇ ଯାଉଥିବାରୁ ତାକୁ ବାନ୍ଧି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ରାଜ୍ୟସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଥିବା ବେଳେ ଦୀର୍ଘ ୧୦ଦିନ ଧରି ଛାତ୍ରଜଣକୁ ବେଡ଼ି ପକାଇ ରଖିବା ମାନବୀୟ ଉଲ୍ଲଂଘନ ବୋଲି ବୁଦ୍ଧିଜୀବୀମାନେ କହୁଥିବାବେଳେ ଛାତ୍ରର ବାପା ପିଲାର ଏପରି ଦୁଷ୍ଟାମିପାଇଁ ବାନ୍ଧି ରଖିବାକୁ କହିଥିବା ହଷ୍ଟେଲ ଚାର୍ଜରେ ଥିବା ଶିକ୍ଷକ କହୁଥିବା ଦେଖିବାକୁ ମିଳିଛି।
ତେବେ ନୀଳଗିରି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ ଘଟଣା ବିଷୟରେ ଅବଗତ ଥିବା କହିଥିବା ବେଳେ ଆଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ବାଗୁଡାଇ କହିଛନ୍ତି, ମୁଁ ତ ସ୍କୁଲରେ ନଥିଲି ସ୍କୁଲରୁ ପିଲାଟି ବାରମ୍ବାର ପଳାଇଯାଉଥିବାରୁ ପିଲାର ବାପା ତାକୁ ଆଣି ବାନ୍ଧିଥିଲେ ବୋଲି ଶୁଣିବାକୁ ପାଇଲା ପରେ ତାକୁ ଯାଇ ଶିକୁଳି ମୁକ୍ତ କରି ପାଠ ପଢିବାକୁ ଛଡାଯାଇଛି। ସ୍କୁଲର କିଛି କୁଚକ୍ରୀ ଶିକ୍ଷକ ମତେ ବଦନାମ କରିବା ପାଇଁ ଏପରି ଭିଡିଓ ଭାଇରାଲ କରୁଛନ୍ତି ବୋଲି ସେ କହିଛନ୍ତି।

