ମହାନଦୀ ଜଳ ବିବାଦ; ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୪|୧୨: ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତାଙ୍କ କହିବା ଅନୁସାରେ, ଗତ ନଭେମ୍ବର ମାସ ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରରେ ଏକ ବୈଠକ ବସିଥିଲା । ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଅନୁଷ୍ଠିତ ଇଷ୍ଟର୍ଣ୍ଣ ଜୋନ୍ ବୈଠକରେ ମଧ୍ୟ ମହାନଦୀ ଜଳ ବିବାଦ ଗୁରୁତ୍ଵ ନେଇ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଖାଲି ସେତିକି ନୁହେଁ ଉଭୟ ରାଜ୍ୟର ବୈଷୟିକ ଟିମଙ୍କ ମଧ୍ୟରେ ପାଞ୍ଚରୁ ଅଧିକ ଥର ଆଲୋଚନା ହୋଇଛି । ତେଣୁ ଆସନ୍ତାକାଲି ମଧ୍ୟ ଏନେଇ ଜଏଣ୍ଟ ଟେକ୍ନିକାଲ ଟିମଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାର ରହିଥିବା ବେଳେ ଆସନ୍ତା ୨୦ ତାରିଖରେ ଟ୍ରିବ୍ୟୁନାଲ ଶୁଣାଣି ହେବାର ରହିଛି | ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତରେ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଅନ୍ୟପଟେ ମହାନଦୀ ବିବାଦ ପ୍ରସଙ୍ଗକୁ ଉଠାଇ ଗୃହରେ ପୁଣିଥରେ କଂଗ୍ରେସ ବିଧାୟକ, ରାମଚନ୍ଦ୍ର କାଡାମ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗତ ୧୬ ମାସ ଭିତରେ ମହାନଦୀ ଜଳ ସମସ୍ୟାକୁ ନେଇ କେତେଥର ଆଉ କେଉଁ ସ୍ଥାନରେ ଛତିଶଗଡ଼ ସରକାର, କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାର ଆଲୋଚନା କରିଛନ୍ତି? ଏବଂ ଏହାର ସମାଧାନ ପାଇଁ ସରକାର କେଉଁ କେଉଁ ପଦକ୍ଷେପ ମାନ ନେଇଛନ୍ତି ?
ରାମଚନ୍ଦ୍ର କାଡାମ୍ ଙ୍କ ଏହି ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଗତ ୧୬ ମାସ ମଧ୍ୟରେ ମହାନଦୀ ଜଳ ସମସ୍ୟାକୁ ନେଇ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କଥା ହେଇଛନ୍ତି । ଏହାବ୍ୟତୀତ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ନୂଆଦିଲ୍ଲୀରେ ସଚିବସ୍ତରୀୟ ଦୁଇଟି ବୈଠକ ଏବଂ ଟେକ୍ନିକାଲ କମିଟି ସ୍ତରୀୟ ୬ଟି ବୈଠକ ବସି ଆଲୋଚନା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

