Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗନବାଡ଼ିକୁ ନେଇ ପୁଣି ଉଠିଲା ପ୍ରଶ୍ନ; ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ, ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର; ୬|୧୨: ବିଧାନସଭାରେ ଏବେ ଶୀତକାଳୀନ ଅଧିବେଶନ ଚାଲିଛି | ଏହି ଅଧିବେଶନ ନବମ ଦିନରେ ଆସି ପଂହଁଚିଛି | ଏହି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିବାବେଳେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ ଅଙ୍ଗନବାଡ଼ି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା | ରାଜ୍ୟରେ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ | ସେମାନେ କେଉଁଠି ଭଡାରେ କିମ୍ବା କେଉଁ କମ୍ୟୁନିଟି ହଲରେ ପିଲାଙ୍କୁ ପଢାଉଛନ୍ତି| ତେବେ ଏହି ସମସ୍ୟାକୁ ସ୍ୱୀକାର କରିଛନ୍ତି ସରକାର । ଗୃହରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବାସ୍ତବ ସ୍ତିତିକୁ ଉପସ୍ଥାପନ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସମଗ୍ର ରାଜ୍ୟରେ ମୋଟ ୭୪,୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ତେବେ ଦୁଃଖର ବିଷୟ ହେଉଛି ସେଥିମଧ୍ୟରୁ ୨୦,୧୫୦ଟି କେନ୍ଦ୍ରର ନିଜସ୍ୱ କୋଠା ବା ଗୃହ ନାହିଁ । ନିଜସ୍ୱ ଘର ନଥିବାରୁ ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ଅସ୍ଥାୟୀ ବ୍ୟବସ୍ଥା ମଧ୍ୟରେ ପରିଚାଳିତ ହେଉଛି । ତଥ୍ୟ ମୁତାବକ, ୩,୮୯୦ଟି କେନ୍ଦ୍ର ଭଡା ଘରେ ଚାଲୁଥିବା ବେଳେ ୧୦,୪୬୯ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ରରେ ଏବଂ ୪,୫୭୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ପରିସରରେ ଚାଲୁଛି।

ତେବେ ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଗୃହହୀନ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି। ବିଶେଷକରି ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ପାଇଁ ଚିହ୍ନଟ ହୋଇଥିବା ୫୦ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ପାଇଁ ୧୨ ଲକ୍ଷ ଟଙ୍କା ହିସାବରେ ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଗୋଟିଏ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟଧାରାରେ ସ୍ୱଚ୍ଛତା ଆଣିବା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ‘AWSOME’ ଆପ୍ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ତଦାରଖ କରାଯାଉଛି। ବିଭାଗୀୟ ସୂଚନା ଅନୁଯାୟୀ, କେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ କିପରି କାର୍ଯ୍ୟ ଚାଲିଛି, ତାହାର ବାସ୍ତବ ଚିତ୍ର ଜାଣିବା ପାଇଁ ଏହି ଆପ୍‌ର ସହାୟତା ନିଆଯାଉଛି । ଏଥିରେ କେନ୍ଦ୍ରର ‘ଜିଓ ଟ୍ୟାଗ୍’ ଫଟୋ ଅପଲୋଡ଼ କରାଯିବାର ବ୍ୟବସ୍ଥା ରହିଛି, ଯାହାଦ୍ୱାରା ବିଭାଗ ସିଧାସଳଖ କାର୍ଯ୍ୟର ମାନ ଯାଞ୍ଚ କରିପାରିବ ।

ଅପରପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅତ୍ୟାଧୁନିକ କରିବା ପାଇଁ ‘ସକ୍ଷମ ଅଙ୍ଗନବାଡ଼ି’ ଯୋଜନା ହାତକୁ ନିଆଯାଇଛି । ଯେଉଁ କେନ୍ଦ୍ରଗୁଡ଼ିକର ନିଜସ୍ୱ ଘର, ବିଜୁଳି ଏବଂ ପାଣିର ସୁବିଧା ଉପଲବ୍ଧ ଅଛି, ସେଗୁଡ଼ିକୁ ‘ସକ୍ଷମ ଅଙ୍ଗନବାଡ଼ି’ ଭାବେ ଘୋଷଣା କରାଯିବ । ରାଜ୍ୟର ମୋଟ ୧୨,୧୪୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ