ପାଣି ବିନା ମାଛ ଛଟପଟ ହୁଏ ଠିକ ସେହିଭଳି ଦୀପାଳି ମଧ୍ୟ କ୍ଷମତା ବିନା ଛଟପଟ ହେଉଛନ୍ତି, କହିଲେ ଟଙ୍କଧର
ଝାରସୁଗୁଡ଼ା;୭|୧୨: ବିବାଦ ପରେ ବିବାଦରେ ଘେରିରହିଛି ବିଜୁ ଜନତା ଦଳ | ଏହା ମଧ୍ୟରେ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ କାଉଣ୍ଟର କରିଛନ୍ତି ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି ଯେ ,ଯେପରି ପାଣି ବିନା ମାଛ ଛଟପଟ ହୁଏ ଠିକ ସେହିଭଳି ଦୀପାଳି ମଧ୍ୟ କ୍ଷମତା ବିନା ଛଟପଟ ହେଉଛନ୍ତି । ଝାରସୁଗୁଡ଼ା ଜିଲ୍ଲାକୁ ପ୍ରଦୂଷିତ କିଏ କରିଥିଲା ? ପାଉଁଶ ପାହାଡ଼ କିଏ ସୃଷ୍ଟି କରିଥିଲା ? ଭାଇ ଭଉଣୀ, କମ୍ପାନି ମାନଙ୍କୁ ଡାକି ବଟି ଆଦାୟ କରୁଥିଲେ । ତାହା ବନ୍ଦ ହୋଇଯାଇଛି ବୋଲି ବାଧୁଛି ବୋଲି କହିଛନ୍ତି ଟଙ୍କଧର ।
ଏହାପୂର୍ବରୁ ବିଜେଡି ନେତ୍ରୀ ଦୀପାଳି ଦାସ ବିଜେପିକୁ ଟାର୍ଗେଟ କରିଥିଲେ । ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଧାୟକ ପୂରଣ କରିପାରୁନାହାନ୍ତି ବୋଲି କହିଥିଲେ ଦୀପାଳି ଦାସ । ଯାହାର ଉତ୍ତରରେ ଦୀପାଳିକୁ ଟାର୍ଗେଟ କରି ଏଭଳି କହିଛନ୍ତି ଟଙ୍କଧର । ଅପରପକ୍ଷରେ କାଲି ବିଜେଡିକୁ ଲାଗିଛି ବଡ଼ ଝଟ୍କା । ଭଦ୍ରକ ବିଜେଡି ଗଡ଼ ଧ୍ୱସ୍ତ ହୋଇଯାଇଛି । ଭଦ୍ରକରେ ଭାଙ୍ଗୁଛି ବିଜେଡି.. ଯୋଡୁଛି ବିଜେପି । ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଛନ୍ତି ତୃଣମୁଳ ନେତା । ଭଦ୍ରକ ଜିଲ୍ଲାର ୪ ବ୍ଲକ ଅଧ୍ୟକ୍ଷ ଧରିଲେ ପଦ୍ମ । ୫୦ରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କୁ ଧରି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବି ଧରିଲେ ପଦ୍ମ ।
କିଛି ଦିନ ପୂର୍ବରୁ ଶଙ୍ଖ ଦଳ ଛାଡ଼ିଥିବା ଜିଲ୍ଲାର ୪ଟି ବ୍ଲକର ଅଧ୍ୟକ୍ଷ ଆଜି ପଦ୍ମ ଧରିଥିଲେ । ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବରେ ୫୦ରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଜେପିରେ ମିଶିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ଜଣ ପୁଅ ଓ ଭଉଣୀ। ୪ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡ଼ିବା ପରେ ନବୀନ ନିବାସ ଡାକି ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ । ଏବେ ପ୍ରଫୁଲ୍ଲଙ୍କୁ ଛାଡ଼ି ତାଙ୍କର ପୁରା ପରିବାର ବିଜେପିରେ ମିଶିବା ଭଦ୍ରକରେ ବିଜେଡିକୁ ଦେଇଛି ଏକ ବଡ଼ ଧକା।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ମହା ମିଶ୍ରଣ ପର୍ବ ଏକା ସାଙ୍ଗରେ ଭଦ୍ରକ, ବନ୍ତ, ବାସୁଦେବପୁର, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷ ଦଳରେ ସାମିଲ ହୋଇଛନ୍ତି । ପୂର୍ବ ସପ୍ତାହରେ ସେମାନେ ବିଜେଡି ଛାଡିଥିଲେ । କାଲି ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କୁ ଧରି ବିଜେପିରେ ସାମିଲ ହୋଇଛନ୍ତି ।

