ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ; ଯେଉଁମାନେ ଦୋଷୀ ସେମାନେ ଦଣ୍ଡିତ ହୁଅନ୍ତୁ କହିଲେ ଅନୁଭବ
ବଲାଙ୍ଗୀର; ୭ା୧୨: ଆଜି ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ ମା’ଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଅନୁଭବ। ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍ ହାଇସ୍କୁଲ ପଡିଆ ଠାରେ ଓଡିଶା କଳାକାର ଏକତା ମଞ୍ଚ ଦ୍ୱାରା ହ୍ୟୁମାନ ସାଗରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଥିଲା। ସେହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆରେ ବହୁତ ଜଣାଶୁଣା ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଭବ ମହାନ୍ତି ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ହ୍ୟୁମାନ ସାଗରଙ୍କ ମା’ଙ୍କୁ ଭେଟିବା ପରେ, ଅନୁଭବ କହିଛନ୍ତି ମୁଁ ତାଙ୍କର ବଡ଼ ପୁଅ ହେଇକି ରହିବି। ହ୍ୟୁମାନ ଚାଲିଗଲେ ମୋର ଭଏସ୍ ଚାଲିଗଲା। ତାଙ୍କ ବିନା ମୁଁ କିଛି ଭାବି ବି ପାରୁନାହିଁ ବୋଲି ଅନୁଭବ ଭାବ ପ୍ରବଣ ହୋଇ କହିଛନ୍ତି।
ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅନୁରୋଧ କରି ସାରିଛି | ତଦନ୍ତ କିଛି ଆଗେଇଛି, ଯେଉଁମାନେ ଦୋଷୀ ସେମାନେ ଦଣ୍ଡିତ ହୁଅନ୍ତୁ ବୋଲି ଅନୁଭବ କହିଛନ୍ତି। ସୂଚନା ଅନୁଯାଇ ଏହା ପୂର୍ବରୁ ହ୍ୟୁମାନ ସାଗରଙ୍କୁ ନ୍ୟାୟ ନଦେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା | ହ୍ୟୁମାନ ସାଗରଙ୍କ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ମା’କୁ ନ୍ୟାୟ ମିଳୁ, ଗୋଟିଏ ଝିଅକୁ ନ୍ୟାୟ ମିଳୁ । ମ୍ୟାନେଜରଙ୍କ ସହ ଯେଉଁମାନେ ହ୍ୟୁମାନଙ୍କ ସହ ସମ୍ପୃକ୍ତ ଥିଲେ ସମସ୍ତଙ୍କର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଭଳି କିଛି ଦାବି ନେଇ ବଲାଙ୍ଗିର ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇ ଦାବି ଜଣାଯାଇଥିଲା | ଗୋଟିଏ ମା’ଙ୍କୁ ଗାଳି କରିଥିବା ମ୍ୟାନେଜରଙ୍କୁ ଗିରଫ କରାଯାଉ, ତାର ଆକାଉଣ୍ଟ ସହ ସମସ୍ତଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉ । ଜଣେ ସୁସ୍ଥ ମଣିଷର ଦେହ ହଠାତ କେମିତି ଶୁଖିଲା ପଡିଲା ଓ ପରେ ତାଙ୍କର ମୃତ୍ୟୁ ହେଲା ଏ ଘଟଣା ସହଜ ନୁହେଁ ବୋଲି ଦାବି କରି ପୋଲିସ ତଦନ୍ତ କରିବା ନେଇ ଦାବି କରିଥିଲେ ସମସ୍ତେ । ସେପଟେ ଯଦି ସତ ସାମ୍ନାକୁ ନ ଆସେ, ତଦନ୍ତ କରାନଯାଏ ତାହେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ।

