ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ ପଞ୍ଜାବ କଂଗ୍ରେସ ପକ୍ଷରୁ ନିଲମ୍ବନ
ଅମୃତସର୍,୯|୧୨: ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ ନିଲମ୍ବନ | ପଞ୍ଜାବ କଂଗ୍ରେସ ପକ୍ଷରୁ ନିଲମ୍ବନ କରାଯାଇଥିବାର ସୂଚନା | ମୁଖ୍ୟମନ୍ତ୍ରୀ ପଦବୀ ଚୟନ ପାଇଁ ଦଳକୁ ଯେ କେହି ବି ୫୦୦ କୋଟି ଟଙ୍କା ଦେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରିବେ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ସୋମବାର ତାଙ୍କୁ ପଞ୍ଜାବ କଂଗ୍ରେସ ପକ୍ଷରୁ ନିଲମ୍ବନ କରାଯାଇଛି। ଦଳର ରାଜ୍ୟ ଶାଖା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ନୋଟିସରେ ନିଲମ୍ବନର କୌଣସି କାରଣ ଉଲ୍ଲେଖ କରାଯାଇନାହିଁ।
ତେବେ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ରାଜ୍ୟରେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗତକାଲି ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କୌର କହିଥିଲେ ଯେ, “ଆମେ ସବୁବେଳେ ପଞ୍ଜାବ ଏବଂ ପଞ୍ଜାବିୟତ ପାଇଁ କହୁ। କିନ୍ତୁ ଆମ ପାଖରେ ୫୦୦କୋଟି ଟଙ୍କା ନାହିଁ ଯାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ବସିବା ପାଇଁ ଦେଇପାରିବୁ।”ସେ ଆହୁରି କହିଥିଲେ ଯେ, ଯେତେବେଳେ ତାଙ୍କୁ ପଚରାଗଲା ଯେ କେହି ସେମାନଙ୍କଠାରୁ ଟଙ୍କା ମାଗିଛନ୍ତି କି, ସେ କହିଥିଲେ ଯେ କେହି ଦାବି କରିନାହାଁନ୍ତି କିନ୍ତୁ ଯେଉଁ ବ୍ୟକ୍ତି ୫୦୦ କୋଟି ଟଙ୍କାର ସୁଟକେସ୍ ଦିଏ ସେ ମୁଖ୍ୟମନ୍ତ୍ରୀ ହୋଇଯାଏ। ସେ କଂଗ୍ରେସ ଦଳରେ ପରସ୍ପର କନ୍ଦଳ ଲାଗି ରହିଥିବାର ଅଭିଯୋଗ କରିଥିଲେ। ଏହା ଉପରେ ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଉତ୍ତର ଦେଇ କହିଛନ୍ତି ଯେ , କଂଗ୍ରେସରେ କିପରି କର୍ମୀଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ି ଯାଇଛି ତାହା ଏହି ମନ୍ତବ୍ୟରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି।
ଅନ୍ୟପଟେ ପଞ୍ଜାବ ବିଜେପି ମୁଖ୍ୟ ସୁନିଲ ଝାଖଡ଼ କହିଛନ୍ତି, କଂଗ୍ରେସରେ ଦେଣନେଣ ରାଜନୀତିର ପୂର୍ବରୁ ଇତିହାସ ରହିଛି। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ପଦବି ହାତେଇଥିବା ସେ ଶୁଣିଥିଲେ ବୋଲି ମଧ୍ୟ କହିଥିଲେ। ତେବେ ଏହି ୫୦୦ କୋଟି ଟଙ୍କା କାହା ପାଖକୁ ଯାଉଛି । ଦଳର ହାଇକମାଣ୍ଡ୍ ନା ରାହୁଲ ଗାନ୍ଧୀଙ୍କ ପାଖକୁ ଏହା ଯାଉଛି ବୋଲି କଂଗ୍ରେସକୁ ପ୍ରଶ୍ନ କରିଛି ଆପ୍। ଅନ୍ୟପକ୍ଷରେ ସିଦ୍ଧୁ ଦମ୍ପତିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ସୁଖଜିନ୍ଦର ରାନ୍ଧାୱା କଡା ସମାଲୋଚନା କରିଛନ୍ତି।

