ରତ୍ନଭଣ୍ଡାର ଚାବି ପ୍ରସଙ୍ଗ; ତାମିଲକୁ ବାନ୍ଧ,ବିଜେଡି ବିଧାୟକଙ୍କ ମୋହନ ସରକାରକୁ ଚ୍ୟାଲେଞ୍ଜ
ଭୁବନେଶ୍ୱର,୯|୧୨: ମୋହନ ସରକାରକୁ ବିଜେଡି ବିଧାୟକ ପ୍ରତାପ ସ୍ୱାଇଁଙ୍କ ଚ୍ୟାଲେଞ୍ଜ । ଗୃହରେ ଅଧିବେଶନ ସମୟରେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ମୋହନ ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଗୃହରେ ଆଲୋଚନା ବେଳେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସରକାରଙ୍କୁ ଏଭଳି ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ପ୍ରଚାର କରାଗଲା କି ରତ୍ନ ଭଣ୍ଡାରର ଚାବି ହଜିଗଲା ଏମିତି କି ରତ୍ନ ଭଣ୍ଡାର ଚାବି ଓଡିଶାରୁ ତାମିଲନାଡୁ ପଲାଇଛି ବୋଲି ମଧ୍ୟ କୁହାଗଲା ତେଣୁ ଏବେ ସିବିଆଇ ତଦନ୍ତ କରି ତାମିଲକୁ ତୁରନ୍ତ ବାନ୍ଧ ବୋଲି କହିଛନ୍ତି ରାଜା ସ୍ୱାଇଁ । କେବଳ ବିରୋଧୀ ନୁହଁ “ଏମିତିକି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି ବୋଲି କହିଥିଲେ, ହେଲେ ଚାବି ନେଇଥିବା ସେ ଲୋକକୁ କାହିଁକି ବାନ୍ଧୁନ” ବୋଲି ଶାସକ ଦଳକୁ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ |
ସୂଚନା ଅନୁସାରେ, ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ସର୍ବ ସମ୍ମୁଖକୁ ଆଣିଥିଲା ବିଜେପି । ରତ୍ନଭଣ୍ଡାର ଚାବି ହଜି ଯାଇଛି ଆଉ ଓଡ଼ିଶାରେ ନାହିଁ | ଚାବି ତାମିଲନାଡୁ ପଳେଇଛି । ରତ୍ନଭଣ୍ଡାର ଲୁଟ୍ ହେଉଛି ବୋଲି ବାରମ୍ବାର କହିବା ସହିତ ବିଜେପି ଶାସନ କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ଖୋଲାଯିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାରେ ନିର୍ବାଚନୀ ରାଲି କରିବା ସମୟରେ ଏହି କଥାକୁ ଉଠାଇଥିଲେ । ଆଉ ଏବେ ସରକାରକୁ ଆସିବା ପରେ ଏହି କଥାକୁ ଉଠାଇ ମୋହନ ସରକାରକୁ ଟାର୍ଗେଟ୍ କରିଛନ୍ତି ବିଜେଡ଼ି ବିଧାୟକ ରାଜା ସ୍ୱାଇଁ ।

