ବଢିଲା ବିଧାୟକଙ୍କ ଦରମା; ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା…
ଭୁବନେଶ୍ୱର,୯|୧୨: ବିଧାନସଭାରେ ବିଧାୟକ ଦରମା ବୃଦ୍ଧି ବିଲକୁ ମଞ୍ଜୁର କରାଯାଇଛି| ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ଏହି ବିଲ୍ ପାରିତ ହେବା ପରେ ବିଧାୟକ ଓ ବାଚସ୍ପତିଙ୍କ ଦରମା କେତେ ବୃଦ୍ଧି ପାଇଛି? ଜାଣନ୍ତୁ….
ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି କରାଯାଇଛି | ଏହି ଦରମାରେ ବୈଠକ ଭତ୍ତା ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ଆଗରୁ ୮୦୦ ଟଙ୍କା ରହିଥିଲା | ସେହିଭଳି କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାରକୁ ହୋଇଛି | ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ ଏବଂ ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ |
ଉପ-ବାଚସ୍ପତିଙ୍କ ଦରମାରେ ମଧ୍ୟ ବୃଦ୍ଧି ଘଟିଛି | ପୂର୍ବରୁ ମାସିକ ଦରମା ୩୮ ହଜାର ପାଉଥିଲେ ଯାହା ଏବେ ୯୪ ହଜାରକୁ ବୃଦ୍ଧି କରାଯାଇଛି | ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ ଏବଂ କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ। ଠିକ ସେହିପରି ବ୍ୟକ୍ତିଗତ ଭତ୍ତା ମଧ୍ୟ ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ | ଏବଂ ବାସଗୃହ ଭତ୍ତା ଦୈନିକ ୨୦୦୦ ଟଙ୍କା ପାଇବେ |
ସେହିପରି ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା | ୪୦ ହଜାର ଟଙ୍କା ଯେଉଁମାନେ ପାଉଥିଲେ ସେମାନଙ୍କୁ ମିଳିବ ୯୬ ହଜାର ଟଙ୍କା | ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା | ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ ବୋଲି ଧାର୍ଯ୍ୟ ହୋଇଛି | ଏବଂ କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ | ରାଜ୍ୟ ବାହାରେ ଅନୁଷ୍ଠିତ ହେଉଥିବା ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ | ରାଜ୍ୟ ଭିତରେ କାର ଯାତ୍ରା ପାଇଁ ପ୍ରତି କିଲୋମିଟରକୁ ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା ଏବଂ ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର | ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର | ସେହିପରି ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା ମିଳିବ | ଚିକିତ୍ସା ଖର୍ଚ୍ଚ ବାବଦକୁ ମିଳିବ ୩୫ ହଜାର ଯାହା ଆଗରୁ ୫୦୦୦ ଟଙ୍କା ରହିଥିଲା | କ୍ୱାଟର ମିଳି ନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା ଏବଂ ବିଧାୟକଙ୍କୁ ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ |

