ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ ; ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରହିଲା ; ମୋଟ ୧୧ ଦିନ ଚାଲିଲା ଅଧିବେଶନ
ଭୁବନେଶ୍ୱର; ୯|୧୨: ଆଜି ପୂର୍ଣ୍ଣଛେଦ ପଡିଲା ବିଧାନସଭାର ଶୀତ ଅଧିବେଶନରେ ପଡିଲା ପୂର୍ଣ୍ଣଛେଦ। ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲେ ବାଚସ୍ପତି । ଏହି ଶୀତକାଳୀନ ଅଧିବେଶନରେ ମୋଟ ୧୧ ଦିନ ଚାଲି ରହିଥିଲା । ତେବେ ଏଥର ବିଧାନସଭାର ଶୀତକାଳୀନ ଅଧିବେଶନ ବେଶ୍ ଚର୍ଚ୍ଚାରେ ଥିଲା ଏହାର ପ୍ରଥମ କାରଣ ହେଉଛି ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ସେ ବିଧାନସଭାକୁ ଆସି କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ବିଧାୟକମାନଙ୍କୁ ସଚେତନ କରାଇଥିଲେ। ଦ୍ୱିତୀୟରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଅନେକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ବି ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା ।
ଏହି ଶୀତକାଳୀନ ଅଧିବେଶନରେ ବହୁ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା | କିନ୍ତୁ ଅଧିବେଶନର ଶେଷ ସମୟରେ ମାଲକାନଗିରିକୁ ନେଇ କମ୍ପିଥିଲା ଗୃହ । ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହରେ ମାଲକାନାଗିରି ହିଂସା ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଥିଲେ, ଏବେ ମାଲକାନଗିରି ଜଳୁଛି, ଆଗକୁ ଆଉ ଏକ କନ୍ଧମାଳ ହେବାକୁ ଯାଉଛି । ଅନକେ ଘର ପୋଡ଼ି ଦିଆଗଲାଣି, ଜୀବନ ଗଲାଣି । ହେଲେ ଆମେ ଏଠି ବସି କାର୍ଯ୍ୟକ୍ରମ କରୁଛେ । ଲୋକ କଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ ।
ରାଜ୍ୟର ଗୋଟିଏ ଅଂଶ ଜଳୁଥିବା ବେଳେ ଆମେ ଏଠି ନିୟମ ତିଆରି କରୁଛେ ଏହା କେତେ ଠିକ୍ ବୋଲି ପ୍ରଶ୍ନ ଉଠାଇଥିଲେ ରାଜା । ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଯେମିତି ମଣିପୁର ଜଳୁଥିଲା, ସେମିତି ଏବେ ମାଲକାନଗିରି ଜଳୁଛି । ବେଙ୍ଗଲି କହୁଥିବା ଲୋକ ସମସ୍ତେ ବାଂଲାଦେଶୀ ନୁହନ୍ତି । କିନ୍ତୁ ରାଜ୍ୟରେ ସେଭଳି ବାତାବରଣ ତିଆରି କରାଯାଉଛି ବୋଲି ସରକାରଙ୍କୁ ଦୋଷ ଦେଇଛନ୍ତି ରାଜା ସ୍ୱାଇଁ ।ଏଥିସହ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ଏବଂ ତୁରନ୍ତ ହାଉସ କମିଟି ଗଠନ କରି ମାଲକାନଗିରି ପଠାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।

