‘ବନ୍ଦେ ମାତରମ୍’ ଉପରେ ପାର୍ଲାମେଣ୍ଟରେ ୧୦ଘଣ୍ଟାର ବିତର୍କ; ସରକାରଙ୍କୁ ରୋଷ୍ଟ କଲେ ବିଶାଲ ଦଦ୍ଲ୍ଲାନୀ
ନୂଆଦିଲ୍ଲୀ: ଭାରତର ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଅଧିବେଶନ ସମୟରେ ୧୦ ଘଣ୍ଟା ଧରି ବିତର୍କ ଚାଲିଥିଲା। ଯେଉଁ ଘଟଣାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏବେ ଏହି ତାଲିକାରେ କଣ୍ଠଶିଳ୍ପୀ ଏବଂ ସଂଗୀତ ନିର୍ଦେଶକ ବିଶାଲ ଦଦଲାନି ଯୋଡ଼ି ହୋଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି ନିଜ ପ୍ରତିକ୍ରିୟା ପାଇଁ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ‘ବନ୍ଦେ ମାତରମ୍’ର ୧୫୦ ପୂର୍ତ୍ତି ପାଇଁ ଦେଶକୁ ଏଥିପାଇଁ ଶୁଭକାମନା ଜଣାଇବା ସହ ଏହାକୁ ନେଇ ଲୋକସଭାରେ ଚାଲିଥିବା ୧୦ ଘଣ୍ଟା ବିତର୍କ ପାଇଁ ସରକାରଙ୍କୁ କଟାକ୍ଷ କରିଛନ୍ତି।
ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ ଗୀତକୁ ନେଇ ଗୃହରେ ୧୦ ଘଣ୍ଟା ଧରି ବିତର୍କ ଚାଲିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ସଂଗ୍ରାମର ସ୍ୱର ପାଲଟିଥିଲା। କିନ୍ତୁ ୧୯୩୭ରେ ଏହି ଗୀତ ପ୍ରତି କଂଗ୍ରେସ ଅନାଦର କରିଛି | ସେ ଆହୁରି କହିଥିଲେ ଯେ, କଂଗ୍ରେସ ମୁସଲିମ ଲିଗ୍ ସାମ୍ନାରେ ମୁଣ୍ଡ ନୁଆଁଇ ଦେଇଥିଲା ଏବଂ ବନ୍ଦେ ମାତରମକୁ ଦୁଇ ଖଣ୍ଡ କରି ଦେଇ ଥିଲା । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ମୋଦିଙ୍କୁ କାଉଣ୍ଟର କରିଥିଲେ । ଏହା ପରେ ମାମଲା ଆହୁରି ବଢ଼ିଗଲା ଏବଂ ଲୋକସଭାରେ ୧୦ ଘଣ୍ଟା ଧରି ବିତର୍କ ଚାଲିଲା।
ଆଉ ଏବେ ଏହି ଘଟଣାକୁ ନେଇ ସରକାରଙ୍କୁ ଉପହାସ କରିଛନ୍ତି ବିଶାଳ ଦଦ୍ଲ୍ଲାନୀ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି, ‘ନମସ୍କାର ଭାଇ ଏବଂ ଭଉଣୀମାନେ, ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଖବର | ଗତ ମଙ୍ଗଳବାର ଭାରତୀୟ ସଂସଦରେ ଦୀର୍ଘ ୧୦ ଘଣ୍ଟା ଧରି ‘ବନ୍ଦେ ମାତରମ୍’କୁ ନେଇ ଶାସକ ଏବଂ ବିରୋଧୀ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ବିତର୍କ ଚାଲିଥିଲା। ଏବଂ ଏହି ଜାତୀୟ ସଙ୍ଗୀତକୁ ଲେଖିଛନ୍ତି, ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଯାହାକି ଖୁବ୍ ଲୋକପ୍ରିୟ ଓ ପ୍ରସିଦ୍ଧ ମଧ୍ୟ ।
ଏତିକି କହିବା ପରେ ବିଶାଲ ଆରମ୍ଭ କରିଥିଲେ ସରକାରଙ୍କୁ ତାତ୍ସଲ୍ୟ କରିବା । ସେ କହିଥିଲେ, ‘ଏହି ୧୦ ଘଣ୍ଟାର ବିତର୍କ ଯୋଗୁଁ, ଭାରତର ବେକାରୀ ସମସ୍ୟା ପୁରାପୁରି ସମାଧାନ ହୋଇଯାଇଛି। ଏହା ସହ ଇଣ୍ଡିଗୋ ବିମାନ ସମସ୍ୟା ମଧ୍ୟ ସମାଧାନ ହୋଇଛି। ବାୟୁ ପ୍ରଦୂଷଣ ସମସ୍ୟା ସମାଧାନ ହୋଇଛି । ଏକ କବିତା ଉପରେ ୧୦ ଘଣ୍ଟା ଧରି ବିତର୍କ ହୋଇଥିଲା। କିନ୍ତୁ ଦେଶର ଏଭଳି ଅତି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରସଙ୍ଗରେ ପଦୁଟିଏ ବି ଆଲୋଚନା ହୋଇନି । ତଥାପି ଏଭଳି ବିତର୍କ ଯୋଗୁଁ ସବୁ ସମସ୍ୟାର ସମାଧାନ ହୋଇଛି। ଏହି ବିତର୍କ ଆପଣଙ୍କ ଟଙ୍କାରେ ହେଉଛି । ପାର୍ଲାମେଣ୍ଟରେ ପ୍ରତି ମିନିଟରେ ଆପଣଙ୍କ ଟିକସ ଟଙ୍କାରୁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ୧୦ ଘଣ୍ଟା ଅର୍ଥ ୬୦୦ ମିନିଟ୍। ତେଣୁ ଥରେ ଚିନ୍ତା କରନ୍ତୁ, ଆପଣଙ୍କ ଟିକସ ଟଙ୍କା କେତେ ଖର୍ଚ୍ଚ ହେଲା ।’
ବିଶାଲଙ୍କ ଏଭଳି ପୋଷ୍ଟ ଉପରେ, ‘ଫ୍ୟାମିଲି ମ୍ୟାନ୍’ ଅଭିନେତ୍ରୀ ଶ୍ରେୟା ଧନୱନ୍ତରୀ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ସେ କହିଛନ୍ତି, ‘ମୁଁ ଭାବୁଛି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା।’ ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଯଦି ଆମେ ୧୦୦ ଘଣ୍ଟା ପାଇଁ ବିତର୍କ କରିବୁ, ତେବେ ଭାରତ ତିନିରୁ ଉପରକୁ ଉଠିଯିବ’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ବିଶାଲଙ୍କର ଏହି ରୋଷ୍ଟିଂ ସବୁଠାରୁ ନିଆରା ଥିଲା।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏସେ ମତ କର ଲାଲା ମତ କର ।’

