Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ପଦବୀ ପୂରଣ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର,୧୨।୧୨: ଓଡ଼ିଶା କିପରି ଦୁର୍ନିତୀମୁକ୍ତ ହେବ ଏବଂ ରାଜ୍ୟବାସୀ କିପରି ସୁଶାସନ ପାଇବେ ସେ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ତ୍ୱାରୋପ କରିଛନ୍ତି। ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ହୋଇଥିବା ତ୍ରୟୋଦଶ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତମାନଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେକରନ୍ତୁ। ସରକାରୀ ଚାକିରି ମିଳିଲା ପରେ କାର୍ଯ୍ୟରେ ଜମା ଅବହେଳା କରନ୍ତୁ ନାହିଁ ଏବଂ ଦୁର୍ନୀତିଠାରୁ ଲକ୍ଷେ କୋଶ ଦୂରରେ ରୁହନ୍ତୁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ, ଗତ ୧୮ ମାସ ମଧ୍ୟରେ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ୬ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ଼ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ଼ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ମାଧ୍ୟମରେ ପ୍ରଚଳିତ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ତେଣୁ ଆପଣମାନେ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକୁ ସଫଳତାର ସହ ନିର୍ବାହ କରି ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେବାରେ ନିଜର ଦାୟିତ୍ୱକୁ ସୂଚାରୁରୂପେ ସମ୍ପାଦନ କରିବେ। ପୌର ସଂସ୍ଥାରେ ସୁସଂଗଠିତ ଯୋଜନା, ସୁଚିନ୍ତିତ ବିକାଶ ଓ ପ୍ରଶାସନିକ କାର୍ଯ୍ୟକଳାପରେ ଯୋଜନା ସହାୟକମାନଙ୍କର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶାରେ ଭିତ୍ତିଭୂମି ନିର୍ମାଣରେ ଏକ ପ୍ରକାର ଆନ୍ଦୋଳନ ହେବାକୁ ଯାଉଛି, କାରଣ ଓଡ଼ିଶାରେ ଆଶାତୀତ ଭାବେ ପୁଞ୍ଜି ବିନିଯୋଗ ପାଇଁ ବଜେଟରେ ପ୍ରାବଧାନ କରାଯାଇଛି। ପୁଞ୍ଜି ବିନିଯୋଗ କ୍ଷେତ୍ରରେ ରାଜ୍ୟ ଜିଡିପି ଅନୁପାତରେ ଓଡ଼ିଶା ଦେଶର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ରାଜ୍ୟ। ଏହା ୬.୧ ପ୍ରତିଶତରୁ ଅଧିକ ଏବଂ ସାମଗ୍ରିକ ବଜେଟର ପ୍ରାୟ ୨୨ ପ୍ରତିଶତ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭିତ୍ତିଭୂମି ନିର୍ମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରି କୃଷକ ମାନଙ୍କର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ମଧ୍ୟ ଲୋକାର୍ପିତ କରିଥିଲେ। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ୨୨ଟି ଜିଲ୍ଲାରେ ୧୦୧ଟି ଚେକ୍‌ଡ୍ୟାମ୍‌ ଲୋକାର୍ପିତ କରାଯାଇଥିଲା। ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରାଯାଇଛି। ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ।

ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ୩.୦ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୨୦୧ଟି ଚେକ୍‌ଡ୍ୟାମ୍‌ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି। ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହାର ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ। ସେହିପରି ୧୨୫ କୋଟି ଟଙ୍କା ବିନିଯୋଗରେ ମୟୂରଭଞ୍ଜ ଓ ଗଜପତି ଜିଲ୍ଲାରେ ଦୁଇଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରାଯାଇଛି । ଏହାଦ୍ୱାରା ୪ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବା ସହିତ ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ। ଏହା ସହିତ ଆନନ୍ଦପୁର ବ୍ୟାରେଜର ଶାଳନ୍ଦୀ ବାମପାର୍ଶ୍ୱ କେନାଲ, ଅନୁଗୋଳର ଅଙ୍ଗପଡ଼ାଠାରେ ୩୩ କୋଟି ଟଙ୍କା ବିନିଯୋଗରେ ଏକ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଜି ଉଦ୍‌ଘାଟିତ ହୋଇଥିବା ଜଳସେଚନ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୧୬,୨୫୨ ହେକ୍ଟର ଚାଷଜମିରେ ଜଳସେଚନର ସୁବିଧା ସହିତ ୬୪ ହଜାର ହଜାର କୃଷକ ଉପକୃତ ହେବେ। ସେହିପରି ଭିତ୍ତିପ୍ରସ୍ତର ରଖାଯାଇଥିବା ପ୍ରକଳ୍ପ ଦ୍ୱାରା ୧, ୫୫,୩୬୦ ହେକ୍ଟର ଜମିରେ ଜଳସେଚନ ସୁବିଧାର ବିକାଶ ହେବ ଏବଂ ପ୍ରାୟ ୬୩ ହଜାର କୃଷକ ଉପକୃତ ହେବେ। ସମୁଦାୟ ପ୍ରାୟ ୧ ଲକ୍ଷ ୨୭ ହଜାର କୃଷକ ଉପକୃତ ହେବେ।

ଏହି ଅବସରରେ ଜଳ ସମ୍ପଦ ବିଭାଗର ୨୩୨, ପୂର୍ତ୍ତ ବିଭାଗର ୧୯୭, ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା। ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ରାଜ୍ୟର ଉନ୍ନତି ହେବା ପାଇଁ ନିଯୁକ୍ତି ଆବଶ୍ୟକ ଏବଂ ଏହି କଥାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ଦ୍ରୁତ ଗତିରେ ଅନେକ ଖାଲି ପଦବୀ ପୂରଣ କରୁଛନ୍ତି। ସତ୍ୟନିଷ୍ଠା, ପେସାଦାରିତା ଓ ନିଷ୍ଠାର ସହ ଆଜିଠାରୁ ଭବିଷ୍ୟତ ପାଇଁ ମାନସିକତା ନେଇ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନବ ନିଯୁକ୍ତମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ବାଗତଭାଷଣ ଦେଇଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ