‘ବନ୍ଦେ ମାତରମ’କୁ ଉଚିତ ସମ୍ମାନ ଦେଇନି କଂଗ୍ରେସ! ବିଜେପି ସଭାପତି ଜେପି ନଡ୍ଡା
ନୂଆଦିଲ୍ଲୀ,୧୨|୧୨: ସଂସଦରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ଆଜି ନବମ ଦିନରେ ‘ବନ୍ଦେ ମାତରମ’ ଏବଂ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ହୋଇଛି। ରାଜ୍ୟସଭାରେ ବିଜେପି ସଭାପତି ଜେପି ନଡ୍ଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ‘ବନ୍ଦେ ମାତରମ’ ପ୍ରସଙ୍ଗକୁ ନେଇ ତୀବ୍ର କଥା କଟାକଟି ହୋଇଛି। ବନ୍ଦେ ମାତରମ ଉପରେ ରାଜ୍ୟସଭାରେ ଆଲୋଚନା ସମୟରେ ନଡ୍ଡା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଥିଲେ ଯେ, ଦେଶର କେତେକ ନିର୍ଣ୍ଣାୟକ ମୁହୂର୍ତ୍ତରେ କଂଗ୍ରେସ ଦଳ ସାଲିସ କରିଛି। କଂଗ୍ରେସକୁ ଆକ୍ଷେପ କରି ସେ କହିଥିଲେ ପ୍ରଥମତଃ ଆପଣମାନେ ମୁସଲମି ଲିଗ୍ ଚାପ ଅଧୀନରେ ଆସି ବନ୍ଦେ ମାତରମରୁ ‘ଷ୍ଟାଞ୍ଜା’ ହଟାଇ ଦେଲେ। ୧୯୪୭ ଜୁନ୍ରେ ଆପଣ ଭାରତକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ବଦଳରେ ଏକ ଖଣ୍ଡିତ ସ୍ବାଧୀନତା ପ୍ରଦାନ କରିଥିଲେ | ଏବଂ ଜିନ୍ନାଙ୍କ ସ୍ବପ୍ନ ସାକାର କରିବାରେ ସାହାଯ୍ୟ ମଧ୍ୟ କଲେ | ଏହାପରେ ଆପଣ ପିଓକେକୁ ପାକିସ୍ତାନ ଗରିଲା ବାହିନୀ ନିକଟରେ ସମର୍ପଣ କରିନେଇ ଏକ ଖଣ୍ଡିତ କାଶ୍ମୀର ଆଣିଲେ ଏବଂ ଧାରା ୩୭୦ ଲାଗୁକଲେ।
ନଡ୍ଡା ଆହୁରି କହିଥିଲେ, ‘ବନ୍ଦେ ମାତରମ’ ଦେଶର ଜାତୀୟତାବାଦ ସହ ଘନିଷ୍ଟ ଭାବେ ଜଡ଼ିତ। ଜାତୀୟ ପତାକା ଏବଂ ଜାତୀୟ ସଂଗୀତକୁ ଆମେ ଯେଉଁ ସମ୍ମାନ ପ୍ରଦାନ କରୁଛେ ସେହିଭଳି ‘ବନ୍ଦେ ମାତରମ’କୁ ମଧ୍ୟ ସମାନ ସମ୍ମାନ ମିଳିବ ଉଚିତ | ବନ୍ଦେ ମାତରମ ଉପରେ ଆଲୋଚନା ସମୟରେ ଜେପି ନଡ୍ଡା ନେହରୁଙ୍କ ଉପରେ ଟିପ୍ପଣୀ ଦେଇଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏଥିପାଇଁ ନଡ୍ଡାଙ୍କୁ କଟାକ୍ଷ କରି କହିଥିଲେ, ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ହେଉଛି ନା’ ନେହରୁଙ୍କ ଉପରେ ଆଲୋଚନା କରାଯାଉଛି ? ପ୍ରକୃତରେ କେଉଁ ବିଷୟ ଉପରେ ଆଲୋଚନା କରାଯାଉଛି ତାହା ଆଗ ସ୍ପଷ୍ଟ କରାଯାଉ। ଗୃହରେ ଶାସକ ଦଳ କେବଳ ମିଛ କହିଚାଲିଛି | ମୁଁ କେବଳ ବନ୍ଦେ ମାତରମ ବିଷୟରେ ଆଲୋଚନା କରୁଛି, କିନ୍ତୁ ଯଦି ଏହା ସେମାନଙ୍କୁ ଭଲ ଲାଗୁନାହିଁ ତେବେ ମୁଁ କ’ଣ କରିପାରିବି? ଏହି ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା ଏବଂ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଶେଷରେ ହସ୍ତକ୍ଷେପ କରିବାକୁ ପଡିଥିଲା।

