ଭିଣୋଇଙ୍କ ଡିଗ୍ରୀରେ ବନିଥିଲେ ହୃଦରୋଗ ବିଶେଷଜ୍ଞ, ଖୁଲାସା କଲା…
ଲଳିତପୁର: ଉତ୍ତର ପ୍ରଦେଶର ଲଳିତପୁର ମେଡିକାଲ କଲେଜରେ ଗତ ତିନି ବର୍ଷ ଧରି ଭିଣୋଇଙ୍କ ନାମରେ ନକଲି MBBS ଡିଗ୍ରୀ ବ୍ୟବହାର କରି ଜଣେ ବ୍ୟକ୍ତି ଡାକ୍ତର ସାଜିଥିଲେ। ଘଟଣା ଜଣାପଡିବା ପରେ ସେ ଇସ୍ତଫା ଦେଇ ପଳାଇ ଯାଇଛନ୍ତି। ଆଉ ସେ ନିଜ ମାଆଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ କରିଛନ୍ତି। ସେ ଫଟୋ ବଦଳାଇ ଚାକିରି କରିଥିବା ଜଣାପଡ଼ିଛି। ତେବେ ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି।
ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ବିବାଦରୁ ଏହି ମାମଲା ସାମ୍ନାକୁ ଆସିଥିଲା। ଲଳିତପୁର ମେଡିକାଲ କଲେଜର ପ୍ରିନ୍ସିପାଲ ଡାକ୍ତର ମୟଙ୍କ ଶୁକ୍ଳାଙ୍କ ଅନୁଯାୟୀ, ଆମେରିକାରେ ରହୁଥିବା ଡାକ୍ତର ସୋନାଲି ସିଂହ ବୁଧବାର ଏକ ଚିଠିରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ଲଳିତପୁରର ତାଲାବପୁରାର ବାସିନ୍ଦା ଅଭିନବ ସିଂହ ଜଣେ ନକଲି ଡାକ୍ତର। ତାଙ୍କ ଚିଠିରେ ଡାକ୍ତର ସୋନାଲି ସିଂହ ଆହୁରି କହିଛନ୍ତି ଯେ ଅଭିନବ ସିଂହ ତାଙ୍କ ସ୍ୱାମୀ ରାଜୀବ ଗୁପ୍ତାଙ୍କ ନାମରେ ଡିଗ୍ରୀ ବ୍ୟବହାର କରି କଲେଜରେ ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି। ମୟଙ୍କ ଶୁକ୍ଳାଙ୍କ ଅନୁଯାୟୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ମନୋନୀତ ରାଜୀବ ଗୁପ୍ତା ୨୦୨୨ ମସିହାରେ ହୃଦରୋଗ ବିଶେଷଜ୍ଞ ଭାବରେ କଲେଜରେ ଯୋଗ ଦେଇଥିଲେ। ଡାକ୍ତର ସୋନାଲିଙ୍କ ଚିଠି ପରେ ଡାକ୍ତର ରାଜୀବ ଗୁପ୍ତା ଦୁଇ ଧାଡ଼ିର ଇସ୍ତଫା ପତ୍ର ଦାଖଲ କରିଥିଲେ ଯେଉଁଥିରେ ଉଲ୍ଲେଖ ଥିଲା ଯେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି ଏବଂ ସେ ଇସ୍ତଫା ଦେଉଛନ୍ତି।
ପ୍ରିନ୍ସିପାଲ ମୟଙ୍କ ଶୁକ୍ଲା କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ ଅଭିନବ ସିଂହ ୨୦୧୩ ମସିହାରେ ତାଙ୍କ ଆଧାର କାର୍ଡ ଫଟୋ ପରିବର୍ତ୍ତନ କରି ଠକେଇ କରିଥିଲେ। ଆଇଆଇଟି ରୁରକିରୁ ବି.ଟେକ୍ ଡିଗ୍ରୀ ସମାପ୍ତ କରିବା ପରେ ତାଙ୍କୁ ଆଇଆରଏସ ପାଇଁ ଚୟନ କରାଯାଇଥିଲା। ତା’ପରେ ସେ କୌଣସି କାରଣରୁ ପଳାଇ ଯାଇ ଲଳିତପୁର ଆସିଥିଲେ। ତେବେ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯିବ ଏବଂ ଡାକ୍ତରଙ୍କ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଆଦାୟ କରାଯିବ। ଜାତୀୟ ସ୍ୱାସ୍ଥ୍ୟ ମିଶନରେ ମଧ୍ୟ ଅଭିଯୋଗ ଦାୟର କରାଯାଉଛି। ଘଟଣା ବିଷୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ ମଧ୍ୟ କରାଯାଇଛି।

