ବଢିଥିବା ଦରମାକୁ ନେବାପାଇଁ ମନାକଲେ ନବୀନ ; ଦରକାର ନାହିଁ ବଢ଼େଇଥିବା ଦରମା ; ‘ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା’-ନବୀନ
ଭୁବନେଶ୍ୱର;୧୪|୧୨: କିଛି ଦିନ ପୂର୍ବେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିଲା | ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା | ଏହି ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ଏବଂ ବିଧାନସଭାରେ ଏହାକୁ ମଞ୍ଜୁରୀ ମଧ୍ୟ ମିଳିଛି | ଯେଉଁଠି ଶିକ୍ଷକମାନେ ଆନ୍ଦୋଳନରେ ନିଜର ମାସିକ ଦରମା ବଢାଇବା ପାଇଁ ଆନ୍ଦୋଳନରେ ରାଜରାସ୍ତାରେ ଠିଆ ହୋଇଛନ୍ତି ସେତେବେଳେ ବିଧାନସଭାରେ ବିଧାୟକଙ୍କ ଦରମାରେ ବୃଦ୍ଧି କରାଯାଇଛି | ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା | ଦରକାର ନାହିଁ ବଢ଼େଇଥିବା ଦରମା | ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା | ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି ନବୀନ | ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋ ଦରମା ଟଙ୍କା ଖର୍ଚ୍ଚ କରାଯାଉ |
ଏହାସହିତ ବିଜେଡି ସୁପ୍ରିମୋ ୨୦୧୫ରେ ଦେଇଥିଲେ ଆନନ୍ଦ ଭବନ , ଏବେ ୨୦୨୫ରେ ଦେଲେ ଦରମା , ୨୦୧୫ ମସିହାରେ ନବୀନ ତାଙ୍କ ପୈତୃକ ସମ୍ପତ୍ତି ଆନ୍ଦନ ଭବନକୁ ଓଡିଶାର ଲୋକଙ୍କ ବ୍ୟବହାର ପାଇଁ ଦାନ କରିଦେଇଥିବା ବେଳେ ଏବେ ନିଜ ଦରମା ବି ଦାନ କରିଦେବାକୁ ଘୋଷଣା କରିଛନ୍ତି | ଆଉ ନବୀନଙ୍କ ଏହିଭଳି ଘୋଷଣାକୁ ନେଇ ଏବେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି | ତେବେ ନବୀନଙ୍କ ସହ ତାଙ୍କ ଦଳର ଆଉ କେଉଁ ବିଧାୟକମାନେ ଦରମା ଲୋକଙ୍କ କଲ୍ୟାଣ ପାଇଁ ଦେବେ ନା ନାହିଁ ତାହା ସମୟ ହିଁ କହିବ |
ସୂଚନା ଅନୁଯାୟୀ , ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ୨୦୨୬ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ।
ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା। ୨୦୧୭ ମସିହା ସଂଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା ।

