ଘନ କୁହୁଡି ଯୋଗୁଁ ୮ ବସ ଓ କାର ଧକ୍କା, ଯମୁନା ଏକ୍ସପ୍ରେସୱେରେ…
ନୂଆଦିଲ୍ଲୀ: ମଥୁରାର ଯମୁନା ଏକ୍ସପ୍ରେସୱେରେ ମଙ୍ଗଳବାର ଭୋର ପ୍ରାୟ ୨ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁଁ ଆଠଟି ବସ୍ ଏବଂ ତିନୋଟି କାର ଗୋଟିଏ ପରେ ଗୋଟିଏ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ପହଞ୍ଚିଥିବା ମଥୁରା ଏସ୍ଏସପି କହିଛନ୍ତି ଯେ ଆଗ୍ରା-ନୋଏଡା ରୁଟରେ ବଳଦେବ ଥାନା ଅଧୀନରେ ଥିବା ଖାଦେହରା ଗ୍ରାମ ନିକଟ ମାଇଲଷ୍ଟୋନ୍ ୧୨୭ ନିକଟରେ ଏହି ଘଟଣା ଘଟିଛି। ସୂଚନା ପାଇବା ପରେ ପୋଲିସ ବାହିନୀ ସହିତ ବହୁ ସଂଖ୍ୟକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ସହ ଘଟଣାସ୍ଥଳରେ ପହଞ୍ଚିଥିବା ଆମ୍ବୁଲାନ୍ସ ଦ୍ୱାରା ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏପଟେ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି।
ଏହାବ୍ୟତୀତ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପରିବହନ କରିବା ପାଇଁ ଅନ୍ୟ ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ଆହତମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆଠଟି ବସ୍ ଏବଂ ତିନୋଟି ଛୋଟ କାର ପରସ୍ପର ସହ ଧକ୍କା ଦେଇଥିଲା। ଯାହା ଫଳରେ ଅନେକ ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ କରିଛନ୍ତି। ସେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

