ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପଟଣାରେ ବାର୍ଷିକ କ୍ରୀଡ଼ା ଦିବସ ପାଳିତ।
କଳାହାଣ୍ଡି,୧୮/୧୨
ଭବାନୀପଟଣା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ କ୍ରୀଡ଼ା ଦିବସ ଉତ୍ସାହ ଓ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କର ସକ୍ରିୟ ଅଂଶଗ୍ରହଣ ସହ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଭୀମସେନ ପଣ୍ଡାଙ୍କ ଦିଗନିର୍ଦ୍ଦେଶନାରେ ସକାଳ ୮:୩୦ଟାରେ ଆରମ୍ଭ ହୋଇ ପାରମ୍ପରିକ ଦୀପ ପ୍ରଜ୍ୱଳନ ସହ ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ଶ୍ରୀ ଭାରତ ଭୂଷଣ ଦେଓ, ପୂର୍ବତନ ଓଡ଼ିଶା ରଣଜି ଟ୍ରଫି ଖେଳାଳି, ବିସିସିଆଇ ପରିଚାଳିତ ଓଡ଼ିଶା ଅଣ୍ଡର୍–ଏଜ୍ କ୍ରିକେଟ୍ ଚୟନ ସମିତିର ପୂର୍ବତନ ସଦସ୍ୟ ଏବଂ ପ୍ରତିଷ୍ଠିତ “କଳାହାଣ୍ଡି ବରପୁତ୍ର” ପୁରସ୍କାର ପ୍ରାପ୍ତ, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ପ୍ୟାରେଡ଼ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଷ୍ଟାଚାର ,ଦଳୀୟ ଭାବନା ଓ କ୍ରୀଡ଼ା ମନୋଭାବ ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ଶିକ୍ଷକଙ୍କ ଦ୍ୱାରା ବାର୍ଷିକ କ୍ରୀଡ଼ା ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ପରେ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ମୁଖ୍ୟ ଅତିଥି ନିଜ ଉଦ୍ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ସୁସ୍ଥତା ଓ ଚରିତ୍ର ଗଠନ ପାଇଁ କ୍ରୀଡ଼ାକୁ ଗୁରୁତ୍ୱ ଦେବାକୁ ପ୍ରେରଣା ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ଭୀମସେନ ପଣ୍ଡା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ପ୍ରୟାସକୁ ପ୍ରଶଂଶା କରି ଶିକ୍ଷା ସହ କ୍ରୀଡ଼ାର ସମନ୍ୱୟ ମାଧ୍ୟମରେ ସର୍ବାଙ୍ଗୀଣ ବିକାଶ ପ୍ରତି ବିଦ୍ୟାଳୟର ପ୍ରତିବଦ୍ଧତା ପୁନଃବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ଧନ୍ୟବାଦ ଜ୍ଞାପନ ଓ ଜାତୀୟ ସଙ୍ଗୀତ ସହ ସମାପ୍ତ ହୋଇଥିଲା।

