ଭଡ଼ା ଘରୁ ଗ୍ରାମ ବିକାଶ ଅନୁଷ୍ଠାନ ର କର୍ମଚାରୀ ଙ୍କ ମୃତ ଦେହ ଉଦ୍ଧାର : ତଦନ୍ତ ଅବ୍ୟାହତ
ବାଲିଗୁଡା, ତା, ୩୧/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ):ଏକ ଭଡା ଘରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଉଦ୍ଧାର କରିଛି ପୋଲିସ୍ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖଜୁରୀନାଳ ସାହିରେ । ମୃତକ ଛତ୍ରପୁରର ଜୟକୃଷ୍ଣ ଦାସ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ଜୟକୃଷ୍ଣ ଦୀର୍ଘ ବର୍ଷ ଧରି ଗ୍ରାମ ବିକାଶ ନାମକ ଏକ ସ୍ୱଛାସେବୀ ସଂସ୍ଥାର ବାଲିଗୁଡ଼ା ଶାଖାରେ ଫିଲ୍ଡ ଏକ୍ସପୋର୍ଟ ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ମାସ ହେବ ସେ ବାଲିଗୁଡ଼ା ସହରର ଖଜୁରୀନାଳ ସାହିରେ ଘର ଭଡ଼ା ନେଇ ଏକୁଟିଆ ରହୁଥିଲେ । ମଙ୍ଗଳବାର ଅପରାହ୍ନ ରେ ଘରେ ଶୋଇଥିବା ବେଳେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଘର ମାଲିକଙ୍କ ମନରେ ସନ୍ଦେହ ଉପୁଜିବାରୁ ସେ ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ସ୍ଥିତି ପରଖିବା ପରେ ଜୟକୃଷ୍ଣଙ୍କ ସହକର୍ମୀଙ୍କ ସହ ଯୋଗାଯୋଗ କରିବା ସହ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ । ପରିବାର ଲୋକେ ପହଁଚିବା ପରେ ଏକଜୁକୁଟିଭ୍ ମାଜିଷ୍ଟ୍ରେଟ ତଥା ବାଲିଗୁଡ଼ା ତହସିଲଦାର ଦିପ୍ତିପ୍ରକାଶ ବେହେରାଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଦେଖିବା ବେଳେ ଜୟକୃଷ୍ଣଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

