ପୁରୀ ମ୍ୟୁନିସିପାଲିଟିକୁ ମହାନଗର ନିଗମର ମାନ୍ୟତା ମିଳିଛି
ପବିତ୍ର ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ମ୍ୟୁନିସିପାଲିଟିକୁ ମହାନଗର ନିଗମର ମାନ୍ୟତା ମିଳିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ, ରାଜ୍ୟ ସରକାର ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାସହିତ ରାଜ୍ୟର ପୌର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ଭଳି ପ୍ରମୁଖ ସହରଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଇଛି।
ଏହାପୂର୍ବରୁ ଚଳିତ ମାସ ୨୨ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୧୪ଟି ଜିଲାରେ ୨୪ଟି ନୂଆ NAC ଏବଂ ୩ଟି ଜିଲ୍ଲାରେ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ନୂତନ NAC ତାଲିକାରେ ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ସାଲେପୁର, ବଡ଼ମ୍ବା, ନରସିଂହପୁର, ନର୍ଲା ଓ ବୋରିଗୁମ୍ମା ଭଳି ୨୪ଟି ଅଞ୍ଚଳ ସ୍ଥାନ ପାଇଥିବା ବେଳେ ବୈଦ୍ଧଗଡ଼, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଓ କରଞ୍ଜିଆ ଏବେଠାରୁ ମ୍ୟୁନିସିପାଲିଟି ଭାବେ କାର୍ଯ୍ୟ କରିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସହରାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

