ବିସିବି ଅଧ୍ୟକ୍ଷ ଏମ.ନଜମୁଲ ଇସ୍ଲାମଙ୍କ ବୟାନ ପରେ ବାଂଲାଦେଶ କ୍ରିକେଟରେ ବିଦ୍ରୋହ! ଇସ୍ତଫା ନ ଦେଲେ ବୟକଟ୍ କରିବାକୁ ଧମକ ଦେଲେ ଖେଳାଳି
ନୂଆଦିଲ୍ଲୀ,୧୫|୧: ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶର ସମ୍ପର୍କରେ ଉତ୍ତେଜନା ବୃଦ୍ଧି ପାଇଥିଲା | ପରେ, ଏହା ଧୀରେ ଧୀରେ ଆଇସିସି ଓ ବିସିବି ବିବାଦକୁ ସଂପ୍ରସାରିତ ହୋଇଥିଲା । ତେବେ ଏସବୁ ମଧ୍ୟରେ ବାଂଲାଦେଶ କ୍ରିକେଟ ଦଳରେ ଏବେ ବିବାଦ ବଢିବାରେ ଲାଗିଛି । ବାଂଲାଦେଶର ୟୁନୁସ ସରକାରଙ୍କ ଅଧୀନରେ ଥିବା ବିସିବି ଏବଂ ଖେଳାଳିମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏପରିକି ବିସିବି ମଧ୍ୟରେ ବିଦ୍ରୋହର ଆଶଙ୍କା ଦେଖାଗଲାଣି।
ତେବେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା ବିସିବି ଅଧ୍ୟକ୍ଷ ଏମ.ନଜମୁଲ ଇସ୍ଲାମଙ୍କ ଦ୍ବାରା ଖେଳାଳିମାନଙ୍କ ବିରୁଦ୍ଧରେ ଦିଆଯାଇଥିବା ଏକ ବୟାନକୁ ନେଇ । ଯେଉଁଥିରେ ସେ କହିଥିଲେ ଯେ, ଯଦି ବାଂଲାଦେଶ ବିଶ୍ବକପରୁ ବାହାରିଯାଏ, ତେବେ ଏଥିରେ ଖେଳାଳିମାନଙ୍କର କ୍ଷତି ହେବ, ବୋର୍ଡର ନୁହେଁ । ଏହା ସହିତ ବୋର୍ଡ ଏହି କ୍ଷତିର ଭରଣା କରି ପାରିବ ନାହିଁ ବୋଲି ମଧ୍ୟ ସେ କହିଥିଲେ | କାରଣ ସରକାରଙ୍କ ପକ୍ଷରୁ ବୋର୍ଡ ଖେଳାଳିମାନଙ୍କ ଉପରେ କୋଟି କୋଟି ଟାକା (ବାଂଲାଦେଶୀ ମୁଦ୍ରା) ବ୍ୟୟ କରାଯାଇଥାଏ। କିନ୍ତୁ ଖେଳାଳିମାନେ ପରାଜୟ ହେଲେ ସେମାନଙ୍କଠାରୁ କ୍ଷତିପୂରଣ ମଗାଯାଏ ନାହିଁ । ତେଣୁ ଖେଳାଳିମାନେ ଏହି ଅର୍ଥ ଫେରସ୍ତ କରିବା ଉଚିତ୍ ।
ବିସିବି ଅଧ୍ୟକ୍ଷଙ୍କର ଏଭଳି ବୟାନ ପରେ,ଏବେ ଖେଳାଳିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଂଲାଦେଶ କ୍ରିକେଟ ଖେଳାଳି କଲ୍ୟାଣ ସଂଘର ସଭାପତି ମହମ୍ମଦ ମିଥୁନ ଏହାର ପ୍ରତିକ୍ରିୟା ରଖି କହିଛନ୍ତି, ଯେ ଏପରି ବୟାନ ନୈରାଶ୍ୟପୂର୍ଣ୍ଣ । ବିସିବି ଅଧ୍ୟକ୍ଷ ଏମ.ନଜମୁଲ ଇସ୍ଲାମ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ | ଯଦି ଇସ୍ତଫା ନ ଦିଅନ୍ତି, ତେବେ ଖେଳାଳିମାନେ ଆଗାମୀ ସମୟରେ ସବୁ ଫର୍ମାଟର କ୍ରିକେଟକୁ ବୟକଟ କରିବେ।

