Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ! ବନ୍ଦେ ମାତରମ ଗାନ ବେଳେ ଛିଡା ହେବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ ୨୪|୧: କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ। ଏଣିକି ଜାତୀୟ ସଙ୍ଗୀତ ପରି ‘ବନ୍ଦେ ମାତରମ୍’କୁ ବି ମିଳିବ ସମ୍ମାନ । ବନ୍ଦେ ମାତରମ ଗାନ ବେଳେ ଛିଡା ହେବା ବାଧ୍ୟତାମୂଳକ କରାଯିବ। ଜାତୀୟ ଗୀତକୁ ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ୍ ତିଆରି କରିବାକୁ ଯୋଜନା କରୁଛନ୍ତି ସରକାର । ରିପୋର୍ଟ ଅନୁସାରେ, ଜାନୁଆରି ମାସର ଆରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଭାରତୀୟ ସମ୍ବିଧାନ ଅନୁସାରେ, ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଉଭୟକୁ ସମାନ ସମ୍ମାନ ଦିଆଯାଏ , କିନ୍ତୁ ଉଭୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଅଛି। ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେବା ବାଧ୍ୟତାମୂଳକ ହୋଇଥିଲା ବେଳେ ଜାତୀୟ ଗୀତ ପାଇଁ ସେଭଳି ଆଇନ ନାହିଁ | ଜାତୀୟ ସଙ୍ଗୀତକୁ ଅସମ୍ମାନ କରିବା ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ-୧୯୭୧ ଅନୁଯାୟୀ ଦଣ୍ଡନୀୟ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ଏକ ବୈଠକରେ ଏହି ପ୍ରସଙ୍ଗ ଉପରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ସମୟରେ, ଜାତୀୟ ସଙ୍ଗୀତ ଗାନ ପାଇଁ ନିୟମ ଏବଂ ନିର୍ଦ୍ଦେଶାବଳୀ, ସମ୍ମାନର ପଦ୍ଧତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ଆଲୋଚନା ହୋଇଥିଲା ଯେ, ବନ୍ଦେ ମାତରମ୍ ଗାନ କରିବାର ସମୟ, ସ୍ଥାନ ଏବଂ ପଦ୍ଧତି ପାଇଁ ସ୍ପଷ୍ଟ ନିୟମ ସ୍ଥାପନ କରାଯିବା ଉଚିତ କି ନାହିଁ। ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେବା ବାଧ୍ୟତାମୂଳକ କରାଯିବା ଉଚିତ କି?

ସେହିପରି ଜାତୀୟ ସଙ୍ଗୀତକୁ ଅପମାନ କରୁଥିବା ଲୋକଙ୍କୁ ଜରିମାନା କିମ୍ବା ଦଣ୍ଡିତ କରାଯିବା ଉଚିତ କି? ବିଜେପି କଂଗ୍ରେସ ଉପରେ ତୁଷ୍ଟୀକରଣ ରାଜନୀତି ଯୋଗୁଁ ଜାତୀୟ ସଙ୍ଗୀତକୁ ଅବମାନନା କରୁଥିବା ଅଭିଯୋଗ କରିଛି। ଏହା ସହିତ ୧୯୩୭ କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମର କିଛି ପଦକୁ ହଟାଇ ଦିଆଯାଇଥିଲା, ବୋଲି ବିଜେପି ଅଭିଯୋଗ ମଧ୍ୟ ଆଣିଛି | ଏବଂ ଏହି ନୀତି ଭାରତର ବିଭାଜନର ମୂଳଦୁଆ ପକାଇଥିଲା | ଅନ୍ୟପଟେ, କଂଗ୍ରେସ ଦାବି କରୁଛି ଯେ ବିଜେପି ଇତିହାସକୁ ନଷ୍ଟ କରୁଛି।

ତେବେ ଏହା ପୂର୍ବରୁ ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ଭଳି ସମାନ ପ୍ରୋଟକଲ ଲାଗୁ କରିବା ପାଇଁ କୋର୍ଟରେ ଅନେକ ଆବେଦନ ଦାଖଲ କରାଯାଇଛି। କେନ୍ଦ୍ରର ମୋଦୀ ସରକାର ୨୦୨୨ ମସିହାରେ ସୁପ୍ରିମକୋର୍ଟକୁ କହିଥିଲେ ଯେ, ଜାତୀୟ ସଙ୍ଗୀତ ଭଳି ଜାତୀୟ ଗୀତ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଦଣ୍ଡନୀୟ ବ୍ୟବସ୍ଥା ଲାଗୁ କରାଯାଇ ନାହିଁ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଜାତୀୟ ଗୀତ ବନ୍ଦେ ମାତରମ, ସ୍ୱଦେଶୀ ଆନ୍ଦୋଳନ (୧୯୦୫-୦୮) ସମୟରେ ମୁଖ୍ୟ ଭୂମିକା ନିଭାଇଥିଲା | ସ୍ୱାଧୀନତା ପାଇଁ ସବୁଠାରୁ ପ୍ରମୁଖ ସ୍ଲୋଗାନ ଭାବରେ ଉଭା ହୋଇଥିଲା। ଆଉ ଏବେ କେନ୍ଦ୍ର ସରକାର ଏହାକୁ ଏହାର ପୂର୍ବ ଗୌରବ ଫେରାଇ ଆଣିବାକୁ ଚେଷ୍ଟା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories