ଆରମ୍ଭ ହେଲା ଖଣ୍ଡଗିରି ମାଘମେଳା; ଯଜ୍ଞ ମନ୍ତ୍ରଧ୍ଵନିରେ ପ୍ରକମ୍ପିତ ଖଣ୍ଡଗିରି ପରିବେଶ
ଭୁବନେଶ୍ୱର,୨୬।୧: ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରି-ଉଦୟଗିରିରେ ଆରମ୍ଭ ହୋଇଛି କୁମ୍ଭମେଳା। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଆସି ପବିତ୍ର ତପୋଭୂମିରେ ଏକାଠି ହୋଇଛନ୍ତି । ହୋମଯଜ୍ଞର ମନ୍ତ୍ରଧ୍ଵନିରେ ଖଣ୍ଡଗିରି ପରିବେଶ ପବିତ୍ରମୟ ହୋଇ ଉଠିଛି। ଆଜି ସକାଳୁ ଆକାଶଗଙ୍ଗା, ଗୁପ୍ତଗଙ୍ଗା, ଲଳିତାକୁଣ୍ଡ, ଶ୍ୟାମାକୁଣ୍ଡ ଏଵଂ ରାଧାକୁଣ୍ଡରେ ସ୍ନାନ କରି ସାଧୁସନ୍ଥମାନେ ନିଜର ଆସ୍ଥାନ ସ୍ଥଳରେ ବିରାଜମାନ କରିଛନ୍ତି। ମାଘ ସପ୍ତମୀ ଉପଲକ୍ଷେ ଅନେକ ସାଧୁ ସନ୍ଥ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ପହଞ୍ଚିଛନ୍ତି।
ସୂଚନା ଅନୁସାରେ, ଆଜି ସକାଳ ୭ଟାରେ ମା’ ବାରଭୁଜାଙ୍କ ପୀଠରେ ଖଣ୍ଡଖିରି ଭୋଗଲାଗି ହୋଇଥିଲା। ଖଣ୍ଡଖିରି ପ୍ରସାଦ ପାଇଲେ ବହୁ ବ୍ୟାଧି ଦୂର ହେବା ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ଏହି ଅବସରରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ବାବା ଆର୍ତ୍ତତ୍ରାଣ, ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ଆସିଥିବା ମାତା ବୋମାମାଈ, ଜୁନା ଆଖଡ଼ାରୁ ଆସିଥିବା ବାବା ଦିଗମ୍ବର ବମନପୁରୀ ମହାରାଜ, କୋରାପୁଟରୁ ଆସିଥିବା ବାବା ରାମ ନାରାୟଣ ଦାସଙ୍କ ପାଖରେ ଭକ୍ତଙ୍କର ଅଧିକ ଭିଡ଼ ଜମୁଛି। ଗତ କାଲି ସନ୍ଧ୍ୟା ସମୟରେ ଜାଗମରା ଗ୍ରାମ ପୁଷ୍କରିଣୀରୁ କଳସଯାତ୍ରା କରି ଶତାଧିକ ଶ୍ରଦ୍ଧାଳୁ ମା’ବାରଭୁଜାଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଯାଇ ଯଜ୍ଞ ଆରମ୍ଭ ହୋଇଥିଲା।
ମେଳାର ପ୍ରଥମ ଦିନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଦୋକାନ ଗୁଡ଼ିକ ଆଗରେ ନାନା ଜିନିଷ କିଣାକିଣି କରିବାକୁ ମହିଳାମାନଙ୍କ ଭିଡ଼ ଜମିଥିଲା। ସବୁଠାରୁ ଅତ୍ୟଧିକ ଭିଡ଼ ହରେକ୍ ମାଲ ଦୋକାନରେ । ରାଜସ୍ଥାନୀ ଚୁଡ଼ି କିଣିବାକୁ ମହିଳାମାନେ ପସନ୍ଦ କରୁଛନ୍ତି। ଟାଟୁବାଲାଙ୍କ ବେପାର ବି ଭଲ ଜମୁଛି। ଯୁବକ ଯୁବତୀମାନେ ଟାଟୁ କରିବାକୁ ବେଶ୍କ ଉତ୍କଣ୍ଠା ହେଉଥିବାର ଦେଖିବାକୁ ମିଳିଥିଲା।
ବିଧି ଅନୁସାରେ କୁମ୍ଭମେଳାର ପ୍ରଥମ ଦିନ ରାତିରେ ପ୍ରଭୁ ଅନନ୍ତ କେଶରୀ, ରାଣୀ ହଂସପୁରକୁ ଯାତ୍ରା କରନ୍ତି। ରୀତିନୀତି ଅନୁସାରେ, ଗତ ରାତିରେ ଜାଗମରା ନାଗାମଠରୁ ସୁସଜ୍ଜିତ ବିମାନରେ ପ୍ରଭୁ ଅନନ୍ତ କେଶରୀ ଉଦୟଗିରି ପାହାଡ଼ସ୍ଥିତ ରାଣୀଗୁମ୍ଫାକୁ ଯାଇଥିଲେ। ବାଜା, ବାଣ ଓ ଶୋଭାଯାତ୍ରାରେ ପ୍ରଭୁ ଅନନ୍ତକେଶରୀ ରାଣୀ ହଂସପୁରକୁ ବିଜେ କରିଥିଲେ। ଏଥର ଆତସବାଜି କାର୍ଯ୍ୟକ୍ରମରେ ୫ଟି ବାଣୁଆ ଦଳ ଏକପ୍ରକାର ପ୍ରତିଯୋଗିତା କରିଥିଲେ। ଗଛ ବାଣଠାରୁ ଆରମ୍ଭକରି ହାବେଳି ପର୍ଯ୍ୟନ୍ତ ବିଭିନ୍ନ ବାଣ ଖଣ୍ଡଗିରି ଆକାଶକୁ ଝଲମଲ କରିପକାଇଥିଲା। ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା ଓ ମୃଦଙ୍ଗ, ଘୋଡ଼ାନାଚ, ରାବଣନାଚ, ଦୁଲୁକି ଆଦି ସାମିଲ ହୋଇଥିଲା। ଗାଁ ପରିକ୍ରମା କରିବା ଭିତରେ ପ୍ରଭୁ ଅନନ୍ତକେଶରୀଙ୍କୁ ଚାଚେରି ଭୋଗ ବଢ଼ାଯାଇଥିଲା। ବିଳମ୍ବିତ ରାତିରେ ଠାକୁର ନାଗାମଠକୁ ଫେରିଥିଲେ। ବିଧି ଅନୁସାରେ ରାଣୀ ହଂସପୁରରୁ ଠାକୁର ମଠକୁ ଫେରିବା ବେଳେ ନିଶାର୍ଦ୍ଧରେ ନିସ୍ତବ୍ଦରେ ଫେରନ୍ତି।
୨୦୨୬ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ୫୮୦ ବ୍ୟବସାୟୀଙ୍କୁ ଦୋକାନ ପାଇଁ ଅନୁମତି ଦିଆଯାଇଛି। ଆସନ୍ତା ଫେବ୍ରୁଆରି ୭ ତାରିଖ ପର୍ଯ୍ୟନ୍ତ ସେମାନେ ମେଳାରେ ବ୍ୟବସାୟ କରିପାରିବେ। ତେବେ ପ୍ରତି ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ ବ୍ୟବହାର କରିବା ଉପରେ କଟକଣା ଲାଗୁ ହୋଇଛି। ଯଦି ଏହି ନିୟମ କୁ କୌଣସି ବ୍ୟବସାୟୀ ଅବମାନନା କରନ୍ତି ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ବିଏମ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି।

