ଜରୁୀକାଳୀନ ଅବତରଣ କରିବା ସମୟରେ, ରନୱେ ଉପରେ ଖସି ପଡିଲା ନାସାର ଗବେଷଣା ବିମାନ; ବିମାନରେ ଲାଗିଗଲା ନିଆଁ
ନୂଆଦିଲ୍ଲୀ,୨୮।୧: ନାସାର ଗବେଷଣା ବିମାନରେ ଲାଗିଲା ନିଆଁ। ଜରୁରୀକାଳୀନ ଅବତରଣ କରିବା ସମୟରେ ବିମାନ ଟି ରନୱେ ଉପରେ ଖସି ପଡିଥିଲା। ଏହି ଘଟଣାରେ ବିମାନଟି ରନୱେରେ ଘଷିହୋଇ ଯାଇଥିଲା । ଏଵଂ ଏହା ପରେ ବିମାନର ପଛ ପାର୍ଶ୍ଵରେ ନିଆଁ ଲାଗି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି କ୍ରୁ ସଦସ୍ୟ ଆହତ ହୋଇ ନଥିବା ଜଣା ପଡ଼ିଛି। ଆମେରିକାର ହ୍ୟୁଷ୍ଟନ ଏଲିଂଟନ୍ ବିମାନବନ୍ଦରରେ ଏଭଳି ଅଘଟଣ ଘଟିଛି ।
ସୂଚନା ଅନୁସାରେ, କୌଣସି ଏକ ଯାନ୍ତ୍ରିକ ତ୍ରୁଟି ପାଇଁ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଦେଖାଯାଉଛି ଯେ, ବିମାନର ଚକ ବାହାରି ନଥିଲା। ବିମାନଟି ସିଧାସଳଖ ରନୱେରେ ତଳ ଅଂଶ ବା ବେଲିରେ ଅବତରଣ କରିଥିଲା। ଲ୍ୟଣ୍ଡି ହେବା ପରେ, ବିମାନଟି ବହୁତ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯିବା ପରେ ଶେଷରେ ଅଧାରେ ରହି ଯାଇଥିଲା। ତେବେ ଏହି ଅଘଟଣ ଘଟିବା ପରେ ବିମାନବନ୍ଦରରେ ଥିବା ଜରୁରୀକାଳୀନ ଦଳ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ। ହ୍ୟୁଷ୍ଟନ ବିମାନବନ୍ଦର ପ୍ରଶାସନଙ୍କ ସୂଚନା ଅନୁସାରେ, ଘଟଣାଟି ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଥିଲା। ବିମାନଟି ରନୱେ ୧୭ଆର୍-୩୫ଏଲ୍ରେ ଅବତରଣ କରୁଥିଲା।

