ଅଜିତ ପାୱାରଙ୍କ ଦେହାନ୍ତରେ ଲୋକସଭାରେ ଶୋକ ପାଳନ
ନୂଆଦିଲ୍ଲୀ,୨୮।୧: ଆଜି ଲୋକସଭାରେ ଅଜିତ ପାୱାରଙ୍କ ଦେହାନ୍ତ ପାଇଁ ଶୋକସଭା ପାଳନ କରାଯାଇଛି। ସେ ୧୯୯୧ ମସିହାରେ ଲୋକସଭାର ସାଂସଦ ଥିଲେ ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କର ଆଜି ସକାଳେ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ଛୁଟି ଏବଂ ତିନି ଦିନ ଶୋକ ଘୋଷଣା କରିଛନ୍ତି । ତାଙ୍କ ପରିବାର ସହିତ ଆଲୋଚନା କରିବା ପରେ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଫଡନାଭିସ କହିଛନ୍ତି । ସୂଚନାଯୋଗ୍ୟ, ଆଜି ସଂସଦର ବଜେଟ ଅଧିବେଶନର ପ୍ରଥମ ଦିବସ ଥିଲା । ଲୋକସଭାରେ ଅଜିତଙ୍କ ଦେହାନ୍ତ ଖବରରେ ଏକ ଶୋକସଭା କରାଯାଇଥିଲା । ଅନେକ ସାଂସଦ ପାୱାରଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଗଭୀର ତୃଣମୂଳ ସ୍ତରର ଜନନେତା ଭାବରେ ସ୍ମରଣ କରିଛନ୍ତି। ସେ ପ୍ରଶାସନିକ କ୍ଷେତ୍ରରେ ପାୱାରଙ୍କ ଦୃଢ଼ ସଂକଳ୍ପ ଏବଂ ଗରିବ ଓ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ତେବେ ଶୋକ ପ୍ରସ୍ତାବ ପରେ ଉଭୟ ଗୃହକୁ ମୁଲତବୀ ରଖାଯାଇଛି । ଆସନ୍ତା ଗୁରୁବାର ପୂର୍ବାହ୍ନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଏହା ସହିତ କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ ରେ ଉପସ୍ଥାପିତ ହେବ ।

