ବଦଳିଲା ୟୁପିଏସସି ପରୀକ୍ଷା ନିୟମ!କେନ୍ଦ୍ରୀୟ ଲୋକସେବା ଆୟୋଗର ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି
ନୂଆଦିଲ୍ଲୀ,୫।୧: ବଦଳିଲା ୟୁପିଏସସି ପରୀକ୍ଷା ନିୟମ । ବଡ଼ ପରିବର୍ତ୍ତନ ଆଣିଛି UPSC। IAS, IFS ହେଇଥିଲେ ଏବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ପାରିବେନି। ୟୁପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ନୂଆ ନିୟମ ଆସିଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, IAS, IFS ହେଇଥିଲେ ଏ ବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇହେବନି।
ଆୟୋଗ ଆହୁରି ସ୍ପଷ୍ଟ କରିଛି ଯେ, ଯଦି କୌଣସି ପ୍ରାର୍ଥୀ CSE-2026 ପ୍ରିଲିମ୍ସ ପରୀକ୍ଷା ସରିବା ପରେ କିନ୍ତୁ ମେନ୍ସ ପରୀକ୍ଷା ପୂର୍ବରୁ IAS କିମ୍ବା IFSରେ ନିଯୁକ୍ତ ହୁଅନ୍ତି ଏବଂ ସେହି ସେବାର ସଦସ୍ୟ ଭାବେ ଚାଲୁଥାନ୍ତି, ତେବେ ପ୍ରିଲିମ୍ସରେ ଯୋଗ୍ୟତା ହାସଲ୍ କରିଥିଲେ ମଧ୍ୟ ସେମାନଙ୍କୁ CSE-2026 ମେନ୍ସ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ।
ଏଣିକି ଆଇପିଏସ୍ ଅଧିକାରୀମାନେ ପୁନର୍ବାର ଆଇପିଏସ୍ ସେବାକୁ ବାଛି ପାରିବେ ନାହିଁ। ସେମାନଙ୍କୁ କେବଳ ଆଇଏଏସ୍ ଆଇଏଫ୍ଏସ୍ କିମ୍ବା ଅନ୍ୟାନ୍ୟ ଗ୍ରୁପ୍-ଏ ପାଇଁ ଚୟନ କରିବାକୁ ଅନୁମତି ଦିଆଯାଇପାରିବ। ସିଏସ୍ର ୨୦୨୬ ନିଯୁକ୍ତି ପାଇଲେ ସେମାନଙ୍କୁ ତାଙ୍କ ରାଙ୍କ ସୁଧାରିବା ପାଇଁ ମାତ୍ର ଗୋଟିଏ ଥର ସୁଯୋଗ ମିଳିବ। ଏହା ସହିତ ପରେ ଚାକିରିରୁ ଇସ୍ତଫା ନ ଦେଇ ୨୦୨୮ କିମ୍ବା ତା’ପରବର୍ତ୍ତୀ କୌଣସି ପରୀକ୍ଷାରେ ବସିପାରିବେ ନାହିଁ ।
UPSCର ଏହି ସ୍ପଷ୍ଟ ଓ କଡା ନିୟମ ମାଧ୍ୟମରେ ସିଭିଲ୍ ସର୍ଭିସେସ୍ ଚୟନ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ କରିବା ସହ ପୂର୍ବରୁ ନିଯୁକ୍ତ ହୋଇଥିବା ପ୍ରାର୍ଥୀଙ୍କ ପୁଣି ପ୍ରୟାସ ଉପରେ ନିୟନ୍ତ୍ରଣ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ତେବେ ଚଳିତ ବର୍ଷ ସମୁଦାୟ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ପରୀକ୍ଷା (ପ୍ରିଲିମ) ମେ ୨୪, ୨୦୨୬ ରେ ଅନୁଷ୍ଠିତ ହେବ।

