ରାଜ୍ୟ ସରକାରଙ୍କ ନୂଆ ଯୋଜନା; ସୁଲଭ ମୂଲ୍ୟରେ ଗରିବଙ୍କୁ ଯୋଗାଇଦେବେ ଭଡ଼ା ଘର
ଭୁବନେଶ୍ୱର୪।୧: ରାଜ୍ୟ ସରକାରଙ୍କ ନୂଆ ଯୋଜନା। ସହରରେ ବାସ କରୁଥିବା ସ୍ବଳ୍ପ ଆୟକାରୀ ବର୍ଗ ଲୋକଙ୍କୁ ମିଳିବ ସୁଲଭ ମୂଲ୍ୟରେ ଭଡ଼ା ଘର । ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଘରଗୁଡିକୁ ଭଡା ଘର ରୂପେ ବ୍ୟବହାର କରାଯିବ। ସେଗୁଡିକୁ ମରାମତି କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ରହିବା ପାଇଁ ଭଡ଼ା ସୂତ୍ରରେ ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ ଅଧୀନରେ ଏହି ସୁବିଧା ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଘର ଗୁଡ଼ିକର ଚିହ୍ନଟ କରାଯିବ । ଏନେଇ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସହରରେ ବାସ କରୁଥିବା ଗରିବ, ପ୍ରବାସୀ ଶ୍ରମିକ, ଶିଳ୍ପ କର୍ମଚାରୀ, ମହିଳା କର୍ମଜୀବୀଙ୍କ ପାଇଁ ଏହି ଯୋଜନା ବେଶ ଲାଭଦାୟକ ହେବ । ଘର ଖଣ୍ଡେ ନିର୍ମାଣ ପାଇଁ ଅସମର୍ଥ ଥିବା ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଭଡ଼ା ଘର ବେଶ୍ ସହାୟକ ହୋଇପାରିବ।
ତେବେ ଏହି ଯୋଜନା ଦୁଇଟି ବର୍ଗରେ କାର୍ଯ୍ୟକାରୀ ହେବ। ପ୍ରାଥମିକ ପର୍ଯ୍ୟାୟରେ ମଡେଲରେ ଖାଲି ପଡ଼ିଥିବା ସରକାରୀ ଘରକୁ ସରକାରୀ ଘରୋଇ ଭାଗୀଦାରି (ପିପିପି) ମୋଡ୍ରେ ମରାମତି କରାଯାଇ ବାସ ଉପଯୋଗୀ କରାଯିବ। ଏବଂ ଦ୍ବିତୀୟ ପର୍ଯ୍ୟାୟରେ, ସରକାରୀ/ଘରୋଇ ଅନୁଷ୍ଠାନ ଘର ନିର୍ମାଣ କରିବା ସହ ତାହାର ପରିଚାଳନା ଓ ମରାମତି ଦାୟିତ୍ବ ନେବେ। ସେହି ଘରଗୁଡିକୁ ଭଡ଼ା ଆକାରରେ ଦେଇ ବିନିଯୋଗ ହୋଇଥିବା ଅର୍ଥ ଆଦାୟ କରାଯିବ। ଏଥିପାଇଁ ଏକ ସର୍ଭେ କରି ସ୍ଥାନୀୟ ପ୍ରଶାସନ ଘରଭଡ଼ା ନିର୍ଦ୍ଧାରଣ କରିବେ। ତେବେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦୁଇ ବର୍ଷରେ ଘର ଭଡ଼ା ୮ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ସେଗୁଡ଼ିକୁ ଭଡ଼ା ଆକାରରେ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ପାଢ଼ୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

