ପିୟୁସିସିକୁ ନେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଛନ୍ତି ବଡ ସୂଚନା
ଭୁବନେଶ୍ବର,୨୦।୨: ପିୟୁସିସିକୁ ନେଇ ପୁଣି ଥରେ ଗାଡ଼ି ମାଲିକଙ୍କୁ ଲାଗିଛି ବଡ଼ ଝଟକା । ପ୍ରଦୂଷଣ ପ୍ରମାଣପତ୍ର କଡ଼ାକଡ଼ି ଯାଞ୍ଚ ହେବା। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ଏହା ସହିତ ପିୟୁସିସି ନଥିଲେ ଗାଡ଼ିର ପଞ୍ଜୀକରଣ ମଧ୍ୟ ବାତିଲ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି,କି ସରକାର ସାଧାରଣ ଗାଡ଼ି ଗୁଡ଼ିକର ପିୟୁସିସି ଯାଞ୍ଚଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ବିଭାଗରେ ଶତାଧିକ ଗାଡ଼ିର ପିୟୁସିସିର ଅବଧି ଗତ ଡିସେମ୍ବରରୁ ଶେଷ ହୋଇଯାଇଛି। ଏବେ ପିୟୁସିସି, ଫିଟନେସ୍ ପ୍ରମାଣପତ୍ର ଏକାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।ସେ ଆହୁରି କହିଛନ୍ତିଯେ ଏବେ ବି ଲକ୍ଷାଧିକ ଗାଡ଼ିର ପିୟୁସିସି ନାହିଁ। ଅନେକ ବିଦ୍ୟାଳୟ ବସ୍ର ଫିଟନେସ୍ ମଧ୍ୟ ନାହିଁ। ସେନେଇ କଡ଼ାକଡ଼ି ଯାଞ୍ଚ ହେଉଛି। ଯାଞ୍ଚ ସମୟରେ ଯିଏ ଧରାପଡ଼ିବ ତାଙ୍କ ଗାଡ଼ିର ପଞ୍ଜୀକରଣ ବାତିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅଦ୍ୟାବଧି ଯେଉଁ ସରକାରୀ ଗାଡ଼ିର ପିୟୁସିସି ନାହିଁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି।
ଏନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଗୃହରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି। ସେ କହିଛନ୍ତିଯେ, ପରିବହନ ବିଭାଗର ସମସ୍ତ କାର୍ଯ୍ୟାଳୟରେ ମୋଟ ୨୪୨ଟି ଗାଡ଼ି ନିୟୋଜିତ ହୋଇଛି। ସେଥିରୁ ୪୪ଟି ସରକାରଙ୍କ ନିଜସ୍ବ ଗାଡ଼ି ଏବଂ ବାକି ୧୯୮ ଗାଡ଼ି ଭଡ଼ା ଆକାରରେ ନିୟୋଜିତ କରାଯାଇଛି। ନିୟୋଜିତ ହୋଇଥିବା ସରକାରୀ ଓ ବେସରକାରୀ ଗାଡ଼ିଗୁଡ଼ିକର ପିୟୁସିସି ଗତ ଡିସେମ୍ବର ୨୨ ପର୍ଯ୍ୟନ୍ତ ଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଥିଲେ ଯାହାର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିଯେ, ରାଜ୍ୟରେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନର ୪୦୪୫ଟି ବସ୍ ଚଳାଚଳ କରୁଥିବା ବେଳେ ସେଥିରୁ ୧୧୭୧ଟି ବସ୍ ବିନା ଫିଟନେସରେ ଯିବା ଆସିବା କରୁଛି। ଭୁବନେଶ୍ବରରେ ୭୬୯ ସ୍କୁଲ ବସ୍ ମଧ୍ୟରୁ ୧୭ଟି ବସର ଫିଟନେସ୍ ନାହିଁ। ଯାଞ୍ଚ ସମୟରେ ଧରାପଡିଲେ ସେହି ବସ୍ଗୁଡ଼ିକ ଉପରେ ଇ-ଚାଲାଣ କଟା ଯାଉଛି।

