ଦଶପଲ୍ଲା ଟୁରିଷ୍ଟ ବସ୍ ଦୁର୍ଘଟଣା ମୃତକଙ୍କୁ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୩: ନୟାଗଡ଼ ଦଶପଲ୍ଲା ତହସିଲ ଅନ୍ତର୍ଗତ କୁଟିବାରି ଘାଟି ନିକଟରେ ଆଜି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳେ ଦଶପଲ୍ଲାର କୁଟିବାରି ଘାଟି ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି। ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥଲା । ଉକ୍ତ ଦୂର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଭାରସାମ୍ୟ ହରାଇ ପଥର ସହ ପିଟି ହୋଇ ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣାରେ ଗାଡି ଚାଳକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ବସଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇଁ ବଲାଙ୍ଗୀର ହରିଶଙ୍କର ଅଭିମୁଖେ ଯାତ୍ରା କରୁଥିଲା । ଆଉ ଏହି ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

