ଶ୍ରୀମନ୍ଦିରରେ ଧ୍ବଜା ବାନ୍ଧିବା ନାଁରେ ଠକେଇ; ଜାରି ହେଲା ନୋଟିସ୍
ପୁରୀ, 3/4: ଶ୍ରୀ ଜଗନ୍ନାଥ ଧାମରୁ ଆସିଛି ଏକ ଅବ୍ୟବସ୍ଥାକର ଘଟଣା ଦେଖିବାକୁ ମିଳିଛି । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରରେ ଧ୍ବଜା ବନ୍ଧା ନାଁରେ ଯାତ୍ରୀଙ୍କୁ ଠକେଇ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ସେବକଙ୍କୁ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ଆସିଥିବା ଜଣେ ଯାତ୍ରୀ ଙ୍କୁ ଜଣେ ସେବକ ମନ୍ଦିର କାର୍ଯ୍ୟାଳୟକୁ ଯାଇ ଧ୍ବଜା ବନ୍ଧିବା ଦେବେ ବୋଲି କହି ଦାବି କରିଥିଲେ । ସେ ଏକ ରସିଦ୍ ମଧ୍ୟ ଦେଖାଇଥିଲେ, କିନ୍ତୁ ପରେ ଯାଞ୍ଚରେ ପ୍ରମାଣିତ ହେଲା ଯେ ସେହି ରସିଦ୍ ଜାଲିଆତି ବୋଲି ।
ମନ୍ଦିର ସୁପରଭାଇଜର ଯାଞ୍ଚ କରି ଦେଖିଲେ ଯେ, ଏହି ରସିଦ୍ ମନ୍ଦିର କାର୍ଯ୍ୟାଳୟରୁ ଜାରି ହୋଇନଥିଲା । ଏହା ପରେ ଘଟଣାଟି ସମସ୍ତଙ୍କୁ ଜଣା ପଡିଲା । ଏହି ଘଟଣାକୁ ଗୁରୁତ୍ୱ ଦେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକଙ୍କୁ ୩ ଦିନ ମଧ୍ୟରେ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି । ଏହା ସହ ଏ ସମ୍ପର୍କରେ ସିଂହଦ୍ୱାର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।

