Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାଟିରେ ଲୁଟ୍ ଘଟଣାରେ ୪ ଦୁର୍ବୃତ୍ତ ଗିରଫ : ଲୁଟ୍ ମୋବାଇଲ୍ ସାଜିଲା କାଳ, ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଧରିଲା

ବାଲିଗୁଡା, ତା, ୦୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାମନବମୀ ଦିନ ଶିକପଡା ରାମଘାଟି ନିକଟରେ ହୋଇଥିବା ଲୁଟ୍‌ତରାଜ ଘଟଣାର ପର୍ଦ୍ଦାଫାଶ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ଫୁଲବାଣୀ ସଦର ଓ ଖଜୁରୀପଡ଼ା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଚୋରା ବାଇକ୍, ମୋବାଇଲ୍ ଓ ମାରଣାସ୍ତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗତ ରାମନବମୀ ଦିନ ଫୁଲବାଣୀ ଅଭିମୁଖେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ଶଙ୍କରାଖୋଲ ନିକଟସ୍ଥ ଶିକପଡା ରାମଘାଟିଠାରେ ଏହି ୪ଜଣ ଦୁର୍ବୃତ୍ତ ଅଟକାଇଥିଲେ। ସେଠାରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ବାଇକ୍, ମୋବାଇଲ୍ ଓ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ବାଇକ ଆରୋହୀ ବ୍ୟକ୍ତି ଙ୍କ ଅଭିଯୋଗ କ୍ରମେ ଟିକାବାଲି ଥାନା କେସ୍ ନଂ. ୭୧/୨୬, ଧାରା ୩୦୯(୬) ବି ଏନ ଏସ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଲୁଟେରାମାନେ ଲୁଟିଥିବା ମୋବାଇଲ୍ ଫୋନରେ ନିଜର ସିମ୍ କାର୍ଡ ପକାଇବା ମାତ୍ରେ ପୋଲିସ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସେମାନଙ୍କ ଲୋକେସନ୍ ଚିହ୍ନଟ କରିଥିଲା ଏବଂ ଚଢ଼ାଉ କରି ସମସ୍ତଙ୍କୁ ଗିରଫ କରିଥିଲା। ପୋଲିସ ପଞ୍ଜାରେ ଥିବା ଅଭିଯୁକ୍ତମାନେ ହେଲେ ଖଜୁରୀପଡ଼ା ଥାନା ଗବାସୋରୁ ଗ୍ରାମର ଯୁଧିଷ୍ଠିର ପ୍ରଧାନ ଓରଫ କଦୁଲୁ (୨୪), କାଣ୍ଡପଡ଼ା ଗ୍ରାମର ରାଜେଶ କହଁର ଓରଫ ରାଜା (୨୦), ଫୁଲବାଣୀ ସଦର ଥାନା ବାଡିସୁଗା ଗ୍ରାମର ଘନଶ୍ୟାମ କହଁର ଓରଫ ଘନା (୨୩) ଏବଂ ପରମେଶ୍ୱର କହଁର ଓରଫ ଜୁଣ୍ଡି (୧୯)| ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ ଟି ମୋଟର ସାଇକେଲ, ଏକ ଧାରୁଆ ଛୁରୀ, ୨ ଟି କାଠ ବାଡ଼ି, ୪ ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୧୮୨୦ ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଜି.ଉଦୟଗିରି ସ୍ଥିତ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗର ଅନ୍ୟ କେଉଁ କେଉଁ ସ୍ଥାନରେ ସଂପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବିଷୟ ପୋଲିସ କହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ