ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ; ପ୍ରମାଣ ନଷ୍ଟ କରିବାକୁ ଦେଲେ ଆତ୍ମହତ୍ୟାର ରୂପ
ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା | ଜଣେ ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଛି । ସୂଚନା ଅନୁଯାୟୀ, ରାୟପର୍ଥି ମଣ୍ଡଳର ଏକେ ତାଣ୍ଡା ଗ୍ରାମର ବାସିନ୍ଦା, ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଗତ ବୁଧବାର ରାତିରେ ରାଭୁରୁ ତାଣ୍ଡାର ଚାରି ଜଣ ଯୁବକ ତାଙ୍କୁ ଗଣବଳାତ୍କାର କରି ପରେ ତାଙ୍କୁ ଫାଶୀ ଦେଇ ହତ୍ୟା କରିଥିଲେ । ତେବେ ପ୍ରବଳ ରକ୍ତସ୍ରାବ ଯୋଗୁ ଯୁବତୀଙ୍କର ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ,ଅଭିଯୁକ୍ତ ଯୁବକମାନେ ନିଶାସକ୍ତ ଅବସ୍ଥାରେ ରହିଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ସେମାନେ ଅନେକ କୁକାର୍ଯ୍ୟରେ ଲିପ୍ତ ରହିଥିଲେ । ଏପଟେ ପରିବାର ଲୋକେ ଦାବି କରୁଛନ୍ତିଯେ, ପୀଡିତାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା, ଏବଂ ତା’ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ହତ୍ୟା ଘଟଣାକୁ ଫାସୀ ଲଗାଇ ଆତ୍ମହତ୍ୟାର ରୂପ ଦେଇଥିଲେ । ଏହା ଘଟଣା ସାମ୍ନାକୁ ଆସିବା ପରେ ପରିବାର ଲୋକେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ |
କିନ୍ତୁ ପରିବାର ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ଆବେଦନ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପୋଲିସର ଏଭଳି ଅବହେଳାରେ ପରିବାର ସଦସ୍ୟ କ୍ରୋଧିତ ହୋଇ ୱାର୍ଧନାପେଟ୍ ଶବାଗାର ସମ୍ମୁଖରେ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

