Rahul Gandhi March: ସୁପ୍ରିମକୋର୍ଟ ଅଭିମୁଖେ ଯାଉଥିବା ବେଳେ ରାହୁଲ-ପ୍ରିୟଙ୍କାଙ୍କ ମାର୍ଚ୍ଚକୁ ଅଟକାଇଲା ପୋଲିସ
ନୂଆଦିଲ୍ଲୀ: ନିର୍ବାଚନରେ ଅନିୟମିତତା ଓ ‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ସୋମବାର ଦିଲ୍ଲୀରେ ବିରୋଧୀ ଦଳର ନେତାମାନେ ସୁପ୍ରିମକୋର୍ଟ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଥିଲେ। ‘ଚଲୋ ଦିଲ୍ଲୀ–ମାର୍ଚ୍ଚ ଫର୍ ଡେମୋକ୍ରାସି’ ନାମରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ପ୍ରତିବାଦ ଆୟୋଜନ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ବହୁ ନେତା ଓ ସମର୍ଥକ ଏଥିରେ ସାମିଲ ହୋଇଥିଲେ। ଦିଲ୍ଲୀର କନଟ୍ ପ୍ଲେସ୍ ଓ ମଣ୍ଡି ହାଉସ୍ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଅଳ୍ପ ଦୂର ମାର୍ଚ୍ଚ ପରେ ପୋଲିସ ବିରୋଧୀ ନେତାମାନଙ୍କୁ ଅଟକାଇଥିଲା।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଉଠାଇ ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ ମେଣ୍ଟର ଆଇନଜୀବୀ ଦଳ ମଧ୍ୟ ନିର୍ବାଚନ କମିଶନଙ୍କ ମୁଖ୍ୟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବାକୁ ଆଗେଇଥିବା ରିପୋର୍ଟରେ କୁହାଯାଇଛି। କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଥିଲେ ଯେ, ନିର୍ବାଚନ କମିଶନଙ୍କ ନେତୃତ୍ୱରେ ପରିବର୍ତ୍ତନ, ସମ୍ବିଧାନର ସୁରକ୍ଷା ଓ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ନହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ। ତାଙ୍କ ଅଭିଯୋଗ ଅନୁସାରେ, ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ପ୍ରକ୍ରିୟା (SIR) ସମ୍ପର୍କିତ ନିଷ୍ପତ୍ତିକୁ ନେଇ ନିର୍ବାଚନ କମିଶନ ଭିତରେ ମତଭେଦ ରହିଛି।
‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁସାରେ, ଗତ ୧୦ ମାସ ମଧ୍ୟରେ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଅତି କମ୍ରେ ୧୪ ଥର ଆପତ୍ତି ଉଠାଇଥିଲେ। ଏଥିରୁ ଅଧିକାଂଶ ଆପତ୍ତି SIR ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶକୁ ନେଇ ଥିବା ରିପୋର୍ଟରେ ଦାବି କରାଯାଇଛି। ଏହି ଖବରକୁ ଆଧାର କରି ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ, ନିର୍ବାଚନ କମିଶନ କହିଛନ୍ତି ଯେ, କୌଣସି ସଂସ୍ଥାର ନିଷ୍ପତ୍ତି ପ୍ରକ୍ରିୟାରେ ମତଭେଦ ରହିବା ସ୍ୱାଭାବିକ। ଏହି ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ଦାଖଲ ହେବାକୁ ଥିବା ଆବେଦନ ଉପରେ ଏବେ ନଜର ରହିଛି।

