ବିଜେପି ପକ୍ଷରୁ ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ତାଲିକା ଘୋଷଣା : ୭୨ ଜଣ ସଦସ୍ୟଙ୍କୁ ମିଳିଛି ଦାୟିତ୍ଵ
ଭୁବନେଶ୍ଵର, ୧୦|୪ : ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା ହୋଇଛି । ଗତକାଲି ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ତେବେ ଏହି କମିଟିରେ ସମୁଦାୟ ୭୨ ଜଣ ସଦସ୍ୟଙ୍କ ନାମ ରହିଛି । ଏହାସହ ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି ? ଏହି ନୂତନ କାର୍ଯ୍ୟକାରିଣୀ କମିଟିରେ ୧୮ ଜଣ ମହିଳା ସ୍ଥାନ ପାଇଛନ୍ତି । ବିଭିନ୍ନ ଜିଲ୍ଲାରୁ ସଦସ୍ୟମାନେ ସ୍ଥାନ ପାଇଛନ୍ତି ।
ସୂଚନାନୁସାରେ, କଟକ ଜିଲ୍ଲାରୁ ୭ ଜଣ ସଦସ୍ୟ ସ୍ଥାନ ପାଇଥିବା ବେଳେ ଭୁବନେଶ୍ୱରରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରୁ ୨, ଯାଜପୁରରୁ ୨ ଓ କେନ୍ଦ୍ରାପଡ଼ାରୁ ୨ ଜଣ ସଦସ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏହାସହ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ବହୁ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକମାନେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ୍ ଓରାମ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି | ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି, ରାଜ୍ୟ ମୁଖପାତ୍ର, ବିଭିନ୍ନ ସେଲର ରାଜ୍ୟ ଆବାହକ ସେଲ୍ ପ୍ରଭାରୀଙ୍କୁ ରାଜ୍ୟ କାର୍ଯ୍ୟକାରିଣୀର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି ।


