ବିବାହ ଋତୁ ପୂର୍ବରୁ ଶସ୍ତା ହେଲା ସୁନା, ଆପଣଙ୍କ ସହରରେ ସୁନାର ଦର କେତେ ଅଛି ଜାଣନ୍ତୁ !
ଆଗକୁ ବିବାହ ଋତୁ ଆସୁଛି । ଆଉ ଗହଣା କିଣିବା ପୂର୍ବରୁ ସମସ୍ତେ ନିଜ ନିଜ ସହରରେ ସୁନା ଦର କେତେ ରହିଛି ତାହା ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି |
ତେବେ ଆଜି ଅର୍ଥାତ ଏପ୍ରିଲ ୧୦ରେ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି | ତେବେ ସେୟାର ମାର୍କେଟ ଖୋଲିବା ଆରମ୍ଭରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିଲା। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଜୁନ୍ ୫, ୨୦୨୬ ର ଅବଧି ଶେଷ ହୋଇଥିବା ସୁନା ଫ୍ୟୁଚର୍ସ ପ୍ରାୟ ୬୫୦ ଟଙ୍କା ହ୍ରାସ ପାଇଥିଲା।
ସୂଚନା ଅନୁସାରେ MCXରେ ସୁନା ଫ୍ୟୁଚର୍ସ ପ୍ରତି ୧୦ ଗ୍ରାମ ପିଛା ୧,୫୨,୬୮୫ ଟଙ୍କାରେ ଖୋଲିଥିଲା। ଶେଷ ବ୍ୟବସାୟ ଦିନ, MCX ରେ ସୁନା ୧,୫୩,୪୩୪ ଟଙ୍କାରେ ବନ୍ଦ ହୋଇଥିଲା।
ଆଜି ସକାଳ ପ୍ରାୟ ୯:୫୫ ସମୟରେ, ସୁନା ଫ୍ୟୁଚର୍ସ ୦.୪୨ ପ୍ରତିଶତ ହ୍ରାସ ପାଇ ₹୧,୫୨,୭୮୩ ରେ ବ୍ୟବସାୟ କରୁଥିଲା। ଏହାର ପ୍ରାରମ୍ଭିକ କାରବାରରେ ସୁନା ଫ୍ୟୁଚର୍ସ ₹୧,୫୨,୯୮୫ ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।
ତେବେ ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଆଜି ୧୦ ଗ୍ରାମ ରୂପା ₹୨,୬୦୦ ରେ ବିକ୍ରି ହେଉଛି। ସେହି କ୍ରମରେ ୧୦୦ ଗ୍ରାମ ରୂପାକୁ ୨୬,୦୦୦ ଦେବାକୁ ପଡିବ। ସେହିଭଳି ଚେନ୍ନାଇରେ ୧୦ ଗ୍ରାମ ରୂପାର ମୂଲ୍ୟ ୨, ୬୫୦ ଟଙ୍କା ରହିଛି। ତେବେ ଆଜି ଭୁବନେଶ୍ୱର ସହରରେ ସୁନା ର ମୂଲ୍ୟ କେତେ ରହିଛି ଜାଣନ୍ତୁ….
ଆଜି ଭୁବନେଶ୍ୱରରେ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୫୩,୦୦୦ ଟଙ୍କା ରହିଥିଲା ବେଳେ ୨୨ କ୍ୟାରେଟ୍ ପ୍ରତି ୧୦ଗ୍ରାମକୁ ୧,୪୦,୨୫୦ ଟଙ୍କା ରହିଛି | ସେହିପରି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧,୧୪,୭୫୦ ଟଙ୍କା ରହିଛି |
ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ୧,୫୧,୬୨୦ ଟଙ୍କା ରହିଛି | ସେହିପରି ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୧,୩୮,୯୯୦ ଟଙ୍କା ଏବଂ ୧୮ କ୍ୟାରେଟ୍ ୧୦ ଗ୍ରାମକୁ ୧,୧୩,୭୫୦ ଟଙ୍କା ରହିଛି |
ତେବେ ସୁନାର ଦର କମିବାର ମୁଖ୍ୟ କାରଣ ମଧ୍ୟପ୍ରାଚ୍ୟ ଯୁଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି | ଏହା ଯୋଗୁଁ ବିଶ୍ୱ ସ୍ତରରେ ଉତ୍ତେଜନା ବୃଦ୍ଧି ପାଉଛି, ଏବଂ ଇରାନ ବିରୁଦ୍ଧରେ ଟ୍ରମ୍ପଙ୍କ ନୂତନ ଧମକ ଏହାକୁ ଆହୁରି ତୀବ୍ର କରିଛି। ଏହି ପରିସ୍ଥିତିରେ ସୁନା ଏବଂ ରୁପାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି | କାରଣ କୌଣସି ବିପର୍ଯ୍ୟୟ କିମ୍ବା ରାଜନୈତିକ ଉତ୍ତେଜନା ସମୟରେ, ମୂଲ୍ୟବାନ ଧାତୁର ମୂଲ୍ୟ ଆକାଶ ଛୁଆଁ ହୋଇଯାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିର ଆଶଙ୍କା ସୁନା ଏବଂ ରୁପା ମୂଲ୍ୟ ଉପରେ ଚାପ ପକାଇଛି | ତେବେ ଅଶୋଧିତ ତୈଳ ବ୍ୟାରେଲ ପିଛା $୧୧୦ ପାଖାପାଖି କାରବାର କରୁଛି। ଏହା ବ୍ୟତୀତ, ଆମେରିକୀୟ ଡଲାରର ମଜବୁତ ହେବା ଯୋଗୁଁ ସୁନା ଏବଂ ରୁପାର ମୂଲ୍ୟରେ ବୃଦ୍ଧି ହେଉନାହିଁ |

