ନିର୍ବାଚନ ପୂର୍ବରୁ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ଚଢ଼ାଉ, ପୁଣି ଚର୍ଚ୍ଚାରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି
ପଶ୍ଚିମବଙ୍ଗ, 11|4 : ପଶ୍ଚିମବଙ୍ଗରେ ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଶନିବାର ସକାଳେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାସଭବନରେ ଇଡି ଦଳ ଚଢ଼ାଉ କରିଥିଲେ । ଏହା ସହ ଘର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଚଢ଼ାଉ ଦୀର୍ଘଦିନ ଧରି ଚର୍ଚ୍ଚିତ ଥିବା ସ୍କୁଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ସହ ସମ୍ପୃକ୍ତ ବୋଲି ସୂଚନା ମିଳିଛି । ତଦନ୍ତର ଅଂଶ ଭାବେ ଇଡି ଅଧିକାରୀମାନେ ପାର୍ଥ ଚାଟାର୍ଜୀଙ୍କୁ ସିଧାସଳଖ ପଚରାଉଚରା କରିଛନ୍ତି । ପୂର୍ବରୁ ଏହି ମାମଲାରେ ତାଙ୍କୁ ଅନେକଥର ଶୁଣାଣି ପାଇଁ ଡକାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଜନିତ କାରଣ ଦେଖାଇ ସେ ହାଜର ହେଉନଥିଲେ ।
ଉଲ୍ଲେଖନୀୟ ଯେ, ୨୦୨୨ ମସିହାରେ ଏହି ମାମଲା ପ୍ରକାଶ ପାଇଥିଲା । ସେତେବେଳେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ନଗଦ ଟଙ୍କା ଜବତ ହୋଇଥିଲା, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ପରେ ଚାଟାର୍ଜୀଙ୍କୁ ଗିରଫ କରାଯାଇ ଦୀର୍ଘ ସମୟ ଯାଏଁ ନ୍ୟାୟିକ ହେପାଜତରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ କୋର୍ଟରୁ ଜାମିନ ପାଇ ସେ ବାହାରେ ଆସିଥିଲେ । ବର୍ତମାନ ଏହି ନୂତନ ଚଢ଼ାଉ ପୁଣିଥରେ ଏହି ଦୁର୍ନୀତି ମାମଲା ରାଜନୀତିକ ମଞ୍ଚରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ପୂର୍ବରୁ ଏହାର ପ୍ରଭାବ ପଡ଼ିପାରେ ବୋଲି ରାଜନୀତିକ ମହଲରେ ଅନୁମାନ କରାଯାଉଛି । ଏହା ସହିତ ଇଡି ଅନ୍ୟାନ୍ୟ ସନ୍ଦିଗ୍ଧ ସ୍ଥାନରେ ମଧ୍ୟ ଚଢ଼ାଉ କରିଛି । ଏହି ମାମଲାରେ ଜଡିତ ଥିବା ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ଡକାଯାଇଛି ।

