Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ବର୍ଷ ଅଲଗା ରହିଲେ ମଧ୍ୟ ଛାଡ଼ପତ୍ର ମିଳିବ ନାହିଁ : ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ମତ

ନୂଆଦିଲ୍ଲୀ, 11|4 : ଏକ ରୋଚକ ମାମଲାରେ ସୁପ୍ରିମକୋର୍ଟ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଛନ୍ତି । ବ୍ୟକ୍ତି ଜଣକ ଦୀର୍ଘ ୧୬ ବର୍ଷ ଧରି ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ ମଧ୍ୟ, କେବଳ ଅଲଗା ରହିବା ଆଧାରରେ ଛାଡ଼ପତ୍ର ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଥିଲେ ଯେ, ଯଦି ସ୍ତ୍ରୀ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଇଚ୍ଛା କରୁଛନ୍ତି, ତେବେ ତାହାକୁ ଅବହେଳା କରାଯାଇପାରିବ ନାହିଁ । ଏପରି ସ୍ଥିତିରେ କେବଳ ଦୀର୍ଘ ସମୟ ଅଲଗା ରହିବା ଛାଡ଼ପତ୍ର ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ । ଏହାସହିତ ବ୍ୟକ୍ତିଙ୍କୁ କୋର୍ଟ କହିଥିଲେ ଯେ ସେ ନିଜ ସ୍ତ୍ରୀଙ୍କୁ ପ୍ରତିମାସ ୧୫ ହଜାର ଟଙ୍କା ଭରଣପୋଷଣ ଦେବେ । ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ସମୟରେ ୧୫ ହଜାର ଟଙ୍କା ଅତ୍ୟନ୍ତ କମ୍ ଓ ଯଦି ସେ ଛାଡ଼ପତ୍ର ଚାହୁଁଛନ୍ତି, ତେବେ ସ୍ତ୍ରୀଙ୍କ ପାଇଁ ସ୍ଥାୟୀ ଭରଣପୋଷଣର ଉଚିତ ପ୍ରସ୍ତାବ ନେଇ ଆସିବାକୁ ପଡ଼ିବ ।

ସୂଚନା ଅନୁସାରେ, ବ୍ୟକ୍ତିଙ୍କ ମାସିକ ଆୟ ପ୍ରାୟ ୬୫ ହଜାର ଟଙ୍କା ଓ ସେ ପୂର୍ବରୁ ମଧ୍ୟ ଏହି ମାମଲାରେ ହାଇକୋର୍ଟରେ ଆବେଦନ କରିଥିଲେ, ଯାହା ଖାରଜ ହୋଇଥିଲା । ଶୁଣାଣି ସମୟରେ ସ୍ତ୍ରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସେ ଭରଣପୋଷଣ ଚାହୁଁନାହାନ୍ତି, କେବଳ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଇଚ୍ଛୁକ । ଏଥିରେ ସମସ୍ୟା କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ବ୍ୟକ୍ତି ଜଣଙ୍କର ଓକିଲ କହିଥିଲେ, ଉଭୟଙ୍କ ମଧ୍ୟରେ ସ୍ୱଭାବରେ ବ୍ୟାପକ ପାର୍ଥକ୍ୟ ରହିଛି । ଉଭୟ ଏମିତି ବି ୧୬ ବର୍ଷ ହେଲା ଅଲଗା ରହୁଛନ୍ତି । ଅନେକ ଥର ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହୋଇଛି । କିନ୍ତୁ କିଛି ବି ସମାଧାନ ବାହାରି ପାରିନାହିଁ । ଏହି ମାମଲାରେ କୋର୍ଟ ବ୍ୟକ୍ତି ଜଣକୁ ସ୍ଥାୟୀ ଭରଣପୋଷଣ ନେଇ ପ୍ରସ୍ତାବ ଦେବାକୁ ସମୟ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୭ରେ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ