Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡାରେ ଦଣ୍ଡ ଯାତ୍ରା ଯୋଗୁଁ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ : ଢୋଲରେ ଦୁଲୁକୁଛି ଓ ଝୂଣାରେ ମହକୁଛି

ବାଲିଗୁଡା, ତା, ୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଚଳିତ ମାସ ୧ତାରିଖ ଠାରୁ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡ ଯାତ୍ରା, ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବା ସହ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ବାଲିଗୁଡା ସହରରେ ପ୍ରତିଦିନ ୪ରୁ ୫ ଥଳ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ଯରେ ସାରା ସହର ଦୁଲୁକୁଥ୍ବବା ବେଳେ ଝୁଣାର ବାସ୍ନାରେ ମହକୁଛି। ବାଲିଗୁଡା ସମେତ ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି), ରତଙ୍ଗ ଅଞ୍ଚଳ ର ଦଣ୍ଡଥଳ ପ୍ରତ୍ୟେକ ନିଜ ନିଜର ନାଚ ପରିବେଷଣ କରୁଥିବା ବେଳେ ମା ‘ ରୁଦ୍ର କାଳୀଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଛି। ଏ ଅବସରରେ ଗ୍ରାମର ଦଣ୍ଡୁଆ ମାନେ ମାନସିକ ଧାରୀଙ୍କ ବାସ ଭବନ ସମ୍ମୁଖରେ ସକାଳ ସମୟ ରେ ବରଣ ହୋଇ ପରେ ମଧ୍ଯାହ୍ନ ସମୟରେ ଧୂଳିଦଣ୍ଡ ପୃଥକ ପୃଥକ ଭାବେ ସଂପାଦନ କରୁଛନ୍ତି। ତା’ ପରେ ମା’ ରୁଦ୍ର କାଳୀଙ୍କୁ ଧରି ପୋଖରୀ ତୁଠକୁ ଯାଇ ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ କାର୍ଯ୍ୟ ସଂପାଦନ କରିଥିଲେ। ଅଗ୍ନିଦଣ୍ଡ କୁ ଖେଳାଇ ଦଣ୍ଡୁଆ ମାନେ ମାନସିକ ଧାରୀଙ୍କ ବାସ ଭବନକୁ ଗମନ କରି ସେଠାରେ ପୁଜା ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ରାତ୍ର ସମୟରେ ପୁଣି ମାନସିକ ଧାରୀଙ୍କ ବାସ ଭବନ ସମ୍ମୁଖରେ ପାରମ୍ପରିକ ମା’ କାଳୀଙ୍କ ପରଭା ନୃତ୍ଯ ପରିବେଷଣ ହେଲା ପରେ ପାରମ୍ପରିକ ନୃତ୍ୟ ଗୀତ ଅନୁଷ୍ଠିତ ହେଉଛି । କେତେକ ସ୍ଥାନରେ ୧୩ ତାରିଖ ମାସନ୍ତ ମେରୁ ଅନୁଷ୍ଠିତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ୧୪ ତାରିଖ ସଂକ୍ରାନ୍ତି ମେରୁ କୁ ଖୁବ ଜାକଜକମକ ରେ ପାଳନ କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ସାରିଛି l ଏ ନେଇ ସମସ୍ତ ଗ୍ରାମର ଦଣ୍ଡ ଥଳ ମାନସିକ ଧାରୀ ଭକ୍ତ ଙ୍କ ଘର ସମ୍ମୁଖରେ ହେଉଥିବା ଦଣ୍ଡ ଯାତ୍ରା କୁ ସମାପନ କରି ୧୩ ତାରିଖ ସକାଳ ସୁଦ୍ଧା ନିଜ ନିଜ ଗ୍ରାମର ମା ‘କାଳୀଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ୧୩ ଦିନିଆ ଦଣ୍ଡ ଯାତ୍ରା କୁ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରି ଉଦଯାପନ କରିବେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ