ନୀତିଶ କୁମାର ସରକାରଙ୍କ ବଡ଼ ନିଷ୍ପତ୍ତି! ସରକାରୀ ଡାକ୍ତର ଆଉ ଘରୋଇ କ୍ଲିନିକ୍ରେ କରିପାରିବେନି ଚିକିତ୍ସା
ବିହାର, ୧୩ |୪ : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ଘୋଷଣା ! ସରକାରୀ ହସ୍ପିଟାଲରେ ନିଯୁକ୍ତ ଥିବା ଡାକ୍ତର ମାନେ ଏଣିକି ଘରୋଇ ହସ୍ପିଟାଲରେ ଚିକିତ୍ସା କରିପାରିବେ ନାହିଁ | ବିହାରରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ନୀତିଶ କୁମାର । ଏନେଇ ବିହାରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ମଧ୍ୟ ଜାରି କରାଯାଇଛି । ସରକାର ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ଦ୍ୱାରା ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ପାଇଁ ଉନ୍ନତ ଏବଂ ନିୟମିତ ଚିକିତ୍ସାର ସୁବିଧା ମିଳିବ ।
ତେବେ,ସରକାରଙ୍କ ୭ ନିର୍ଣ୍ଣୟ-୩ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି | ଏହି ନିଷ୍ପତ୍ତି ବିହାର ସ୍ୱାସ୍ଥ୍ୟ ସେବା କ୍ୟାଡର, ବିହାର ମେଡିକାଲ ଶିକ୍ଷା ସେବା କ୍ୟାଡର ଏବଂ ଇନ୍ଦିରା ଗାନ୍ଧୀ ହୃଦ୍ ପ୍ରତିଷ୍ଠାନ ସହିତ ଜଡିତ ଡାକ୍ତର ଏବଂ ଶିକ୍ଷକଙ୍କ ସମେତ ସମସ୍ତ ସରକାରୀ ଡାକ୍ତରଙ୍କ ଉପରେ ଲାଗୁ ହେବ । ଏଣିକି ସରକାରୀ ମେଡିକାଲରେ କାର୍ଯ୍ୟରତ ଥିବା ଡାକ୍ତର ଘରୋଇ କ୍ଲିନିକ୍ କିମ୍ବା ଘରୋଇ ହସ୍ପିଟାଲରେ କାମ କରିପାରିବେ ନାହିଁ ।
ସରକାରଙ୍କ କହିବାନୁଯାୟୀ, ଅନେକ ଡାକ୍ତର ସରକାରୀ ହସ୍ପିଟାଲରେ ରୋଗୀ ମାନଙ୍କୁ ଦେଖିବା ପାଇଁ କମ୍ ସମୟ ଦେଉଥିଲେ ଏବଂ ଘରୋଇ ହସ୍ପିଟାଲରେ ଅଧିକ ଧ୍ୟାନ ଦେଉଥିଲେ । ଆଉ ଡାକ୍ତର ମାନଙ୍କ ଏଭଳି ଅବହେଳା ଯୋଗୁଁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା | ରୋଗୀ ମାନଙ୍କ ଚିକିତ୍ସା ସଠିକ ସମୟରେ ହୋଇପାରୁ ନଥିଲା | ଏହି ସମସ୍ୟାକୁ ଦୂର କରିବା ପାଇଁ ଏଭଳି କଠୋର ପଦକ୍ଷେପ ନିଆଯାଇଛି । ସରକାରଙ୍କ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିଯେ,ଏହି ନିଷ୍ପତ୍ତି ଦ୍ୱାରା ଡାକ୍ତରମାନେ କ୍ଷତିଗ୍ରସ୍ତ ହେବେ ନାହିଁ । କ୍ଷତିପୂରଣ ପାଇଁ ସେମାନଙ୍କୁ ଅଣ-ଅଭ୍ୟାସ ଭତ୍ତା (NPA) ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନେଇ ଖୁବ୍ ଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯିବ । ଆଉ ଏଥିରେ ନିୟମଗୁଡ଼ିକ କିପରି ପାଳନ କରାଯିବ ଏବଂ ଉଲ୍ଲଂଘନ ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ମଧ୍ୟ ଉଲ୍ଲେଖ କରାଯିବ। ସରକାରଙ୍କ କହିବା ଅନୁସାରେ , ଏହି ନିଷ୍ପତ୍ତି ଆଗକୁ ସରକାରୀ ହସ୍ପିଟାଲଗୁଡ଼ିକର ସ୍ଥିତିରେ ସୁଧାର ଆଣିବା ସହିତ ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବ ।

