ଆଜି ପଣା ସଂକ୍ରାନ୍ତି; ଆରମ୍ଭ ହେଲା ନୂଆ ପାଞ୍ଜି
ଭୁବନେଶ୍ଵର, ୧୪ |୪ : ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ଅବା ମହା ବିଷୁବ ସଂକ୍ରାନ୍ତି | ଏହାକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଏ | ଓଡ଼ିଶାରେ ଏହାକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ମନାଯାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଏହା ହେଉଛି ବର୍ଷର ପ୍ରଥମ ଦିନ । ଓଡ଼ିଆ ପରମ୍ପରା ଏବଂ ସଂସ୍କୃତିକୁ ସୂଚାଉଥିବା ଏକ ବିଶେଷ ପର୍ବ ହେଉଛି ପଣା ସଂକ୍ରାନ୍ତି । ଏହା ପ୍ରତିବର୍ଷ ଏପ୍ରିଲ ୧୪ରେ ହିଁ ପଡିଥାଏ | ଏହି ଦିନରୁ ହିଁ ଓଡ଼ିଆ ନୂତନ ବର୍ଷର ଆରମ୍ଭ ହୋଇଥାଏ ଏବଂ ନୂଆ ପାଞ୍ଜି ମଧ୍ୟ ପୂଜା କରାଯାଇଥାଏ । ଏହି ପର୍ବ ଅବସରରେ ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କୁ ପଣା ଦିଆଯାଇଥାଏ | ଉତ୍ତର ଓଡ଼ିଶାରେ ଚଡକ ପର୍ବ ଏବଂ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦଣ୍ଡ ନାଟ ଏହି ମାସବ୍ୟାପୀ ପର୍ବ ‘ମେରୁ ଯାତ୍ରା’ରେ ଶେଷ ହୋଇଥାଏ ।
ଅନ୍ୟପଟେ ଜଗନ୍ନାଥ ସଂସ୍କୃତି ଅନୁସାରେ ଆଜିଠାରୁ ନୂତନ ପଞ୍ଜିକାର ମଧ୍ୟ ପ୍ରଚଳନ ଆରମ୍ଭ ହୋଇଥାଏ । ଏହାସହିତ ଆଜି ମହାବୀର ହନୁମାନଙ୍କ ଜୟନ୍ତୀ ମଧ୍ୟ | ଏଥିପାଇଁ ରାଜ୍ୟର ବିଭିନ୍ନ ହନୁମାନ ମନ୍ଦିରରେ ଆଜି ଭକ୍ତଙ୍କ ପ୍ରବଳ ଭିଡ | ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ, ଛେନା, କଦଳୀ, ଲଡୁ, ବେଲ, ସେଓ ଅନ୍ୟାନ୍ୟ ଫଳ ମିଶାଇ ପଣା ପ୍ରସ୍ତୁତ କରି ମହାବୀରଙ୍କ ପାଖେ ଭୋଗ ଲଗାଯାଏ |

