ଇରାନ୍ ସହ ତୈଳ କାରବାର କରୁଥିବା ଦେଶ ମାନଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ! ଆମେରିକାର କଡା ଚେତାବନୀ
ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | କେତେବେଳେ ଶୁଳ୍କ ନୀତି ଲାଗୁ କରିବା ପାଇଁ ତ ପୁଣି କେତେବେଳେ ଅନ୍ୟାନ୍ୟ ଦେଶ ମାନଙ୍କର ବିବାଦ ସମାଧାନ ପାଇଁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ | ଏବେ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଘୋଷଣା କରିଛନ୍ତି | ସେ କହିଛନ୍ତିଯେ, ଇରାନରୁ ଯଦି କୌଣସି ଦେଶ ତୈଳ କିଣା ବିକା କରେ ତେବେ ସେ ଦେଶ ମାନଙ୍କ ଉପରେ ଆମେରିକା ପକ୍ଷରୁ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ | ଏନେଇ ଟ୍ରମ୍ପ କଡା ଚେତାବନୀ ଦେଇଛନ୍ତି | ଡୋନାଲ୍ଡ ଟ୍ରମ୍ପ୍ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ବନ୍ଦ ଘୋଷଣା କରିବା ପରେ ନ୍ୟାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୮ରୁ ଇସ୍ରାଏଲ – ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଆସୁଛି | ଆଉ ଏହି ଯୁଦ୍ଧର ସମାଧାନ ପାଇଁ ଇସ୍ଲାମାବାଦରେ ଆମେରିକା-ଇରାନ୍ ଶାନ୍ତି ଆଲୋଚନା ଗତ ରବିବାର ବିଫଳ ହୋଇଥିଲା। ଆଉ ଏହା ପରେ ଟ୍ରମ୍ପ୍ ହର୍ମୁଜ୍ ବ୍ଲକେଡ୍ର ଚେତାବନୀ ଦେଇଥିଲେ, ଯାହା ସୋମବାର ରାତିରୁ ଲାଗୁ ହୋଇଛି। ଏହାମଧ୍ୟରେ ସୋସିଆଲ ପ୍ଲାଟଫର୍ମ Xରେ ଜଷ୍ଟିସ୍ ଡିପାର୍ଟମେଣ୍ଟ କାର୍ଯ୍ୟକାରୀ ଆଟର୍ନି ଜେନେରାଲ ଟୋଡ୍ ବ୍ଲାନ୍ଚେ ଏକ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ କହିଛନ୍ତି, “ଆମେରିକା ରାଷ୍ଟ୍ରପତି ତଥା କମାଣ୍ଡର ଇନ୍ ଚିଫ୍ ଓ ଆମ ସେନାକୁ ନ୍ୟାୟ ବିଭାଗ ପୂର୍ଣ୍ଣ ସମର୍ଥନ କରୁଛି। ଯେଉଁ ଦେଶ ଇରାନୀୟ ତୈଳ କିଣିବ କିମ୍ୱା ବିକ୍ରି କରିବ ସେହି ଦେଶ ମାନଙ୍କ ବିରୁଦ୍ଧରେ ଆମେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ।”

