ରୋହିତ ଶର୍ମା ଖେଳିବେ କି? ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ ପଞ୍ଜାବ କିଙ୍ଗସ୍ ମ୍ୟାଚ୍ ପୂର୍ବରୁ ବଡ ଚିନ୍ତା
ମୁମ୍ବାଇ, ୧୫|୪ : ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଚିନ୍ତାର କାରଣ ହୋଇଛନ୍ତି ଦଳର ଅନୁଭବୀ ଖେଳାଳି ରୋହିତ ଶର୍ମା । ପଞ୍ଜାବ କିଙ୍ଗସ୍ ବିରୋଧରେ ଆସନ୍ତା ମ୍ୟାଚ୍ ପୂର୍ବରୁ ତାଙ୍କ ଖେଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆରସିବି ବିରୋଧରେ ହୋଇଥିବା ପୂର୍ବ ମ୍ୟାଚ୍ରେ ରୋହିତ ଶର୍ମା ହ୍ୟାମ୍ଷ୍ଟ୍ରିଙ୍ଗ ଆହତ ହୋଇ ମଝିରେ ମ୍ୟାଚ୍ ଛାଡ଼ିଥିଲେ । ସେ ମାତ୍ର ୧୯ ରନ୍ କରି ‘ରିଟାୟର୍ ହର୍ଟ୍’ ହୋଇଥିଲେ, ଯାହା ପରେ ତାଙ୍କ ଫିଟନେସ୍ କୁ ନେଇ ଚିନ୍ତା ବଢ଼ିଛି । ମ୍ୟାଚ୍ ପରେ ସେ ଦଳର ପ୍ରାକ୍ଟିସ୍ରେ ମଧ୍ୟ ଯୋଗ ଦେଇନଥିବାରୁ ତାଙ୍କ ଖେଳିବାକୁ ନେଇ ଅଧିକ ସନ୍ଦେହ ଉପୁଜିଛି ।
ଯଦିଓ ରିପୋର୍ଟରେ କୌଣସି ଗୁରୁତର ଆଘାତ ନଥିବା କୁହାଯାଇଛି, ତଥାପି ଟିମ୍ ମ୍ୟାନେଜମେଣ୍ଟ ସତର୍କ ଭାବେ ସିଦ୍ଧାନ୍ତ ନେବାକୁ ଚାହୁଁଛନ୍ତି । ରୋହିତଙ୍କ ଖେଳିବା ବା ନଖେଳିବାକୁ ନେଇ ଶେଷ ନିଷ୍ପତ୍ତି ମ୍ୟାଚ୍ ପୂର୍ବରୁ ନିଆଯିବ । ରୋହିତ ଶର୍ମା ଦଳର ମୁଖ୍ୟ ଖେଳାଳି ହେବାରୁ ତାଙ୍କ ଅନୁପସ୍ଥିତି ମୁମ୍ବାଇ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଏହି ପରିସ୍ଥିତିରେ ପଞ୍ଜାବ କିଙ୍ଗସ୍ ବିରୋଧରେ ମ୍ୟାଚ୍ ପୂର୍ବରୁ ଦଳର ରଣନୀତି ଉପରେ ପ୍ରଭାବ ପଡ଼ିପାରେ ।

