ପୁରୀରେ କଲେଜ୍ ଛାତ୍ରୀଙ୍କୁ ଗଣଦୁର୍ଷ୍କମ: ମୁଖ୍ୟ ଅଭିଯୁକ୍ତ ଗିରଫ, ଅନ୍ୟ ୩ ଫେରାର
ପୁରୀ, ୧୬|୪ : ପୁରୀରେ ଜଣେ କଲେଜ୍ ଛାତ୍ରୀଙ୍କ ସହ ଘଟିଥିବା ଗଣଦୁର୍ଷ୍କମ ଘଟଣା ଏବେ ସମଗ୍ର ରାଜ୍ୟକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ପୀଡିତା ଜଣକ କଟକର ବାସିନ୍ଦା ହୋଇଥିବାର ସୂଚନା ମିଳିଛି । ସେ ଘୁରିବା ପାଇଁ ପୁରୀ ଆସିଥିବା ବେଳେ ଏହି ଅପ୍ରୀତିକର ଘଟଣା ଘଟିଥିବା କୁହାଯାଉଛି । ପ୍ରାଥମିକ ସୂଚନା ଅନୁସାରେ, କିଛି ଯୁବକ ତାଙ୍କୁ ଫସାଇ ଏକ ସୁନସାନ ସ୍ଥାନକୁ ନେଇ ଅପରାଧ କରିଥିବା ଅଭିଯୋଗ ଆସିଛି । ଘଟଣା ପରେ ପୀଡିତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ତଥାପି, ଅନ୍ୟ ୩ ଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଲୋକ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ପୋଲିସ କହିଛି ଯେ, ମାମଲାର ତଦନ୍ତକୁ ଗୁରୁତ୍ୱ ସହ କରାଯାଉଛି ଏବଂ ଶିଘ୍ର ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ ।

