ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ; ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ, ୧୬ |୪ : ଆଜି ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୁର ସାମ୍ରାଜ୍ଞୀ ଆଶା ଭୋଁସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗୃହର ସମସ୍ତ ସଦସ୍ୟ ପୁରା ଦୁଇ ମିନିଟ୍ ପାଇଁ ନୀରବ ପାଳନ କରି ସ୍ୱର୍ଗତ ଗାୟିକାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି । ତେବେ ଆଗତ ହୋଇଥିବା ଏହି ବିଲ ଗୁଡିକ ହେଉଛି, ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ୨୦୨୬।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଲୋକସଭାରେ ଏହି ତିନୋଟି ବିଲ୍ ର ଉପସ୍ଥାପନ କରିଛନ୍ତି। ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ନେଇ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦରେ ବିଲ୍ ମହିଳାମାନଙ୍କ ନିମନ୍ତେ ଆଗତ କରିଥିଲେ। କିନ୍ତୁ ଏହି ବିଲ୍ କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି ବିରୋଧୀ ଦଳ | ଏହି ବିଲ୍ ଉପରେ ଆଲୋଚନା ପାଇଁ ୧୮ ଘଣ୍ଟା ସମୟ ଦିଆଯାଇଛି। ସୂଚନା ଅନୁସାରେ, ଅପରାହ୍ନ ୩ ଟାରେ ପ୍ରଧାମନ୍ତ୍ରୀ ମୋଦୀଙ୍କର ଏହା ଉପରେ ଭାଷଣ ଦେବାର ରହିଛି । ଏହାପରେ ଆସନ୍ତା କାଲି ଲୋକସଭାରେ ଆଲୋଚନା ହେବା ପରେ ଏହି ତିନୋଟି ବିଲ୍ ଉପରେ ଭୋଟିଂ ହେବ। ଏହାସହିତ ୧୮ ଏପ୍ରିଲରେ ରାଜ୍ୟସଭାରେ ମଧ୍ୟ ଏହି ତିନୋଟି ବିଲ୍ ଆଗତ କରାଯିବ, ଏଥିପାଇଁ ସମୟସୀମା ରହିଛି ସର୍ବମୋଟ ୧୦ ଘଣ୍ଟା । ୧୮ ଏପ୍ରିଲରେ ରାଜ୍ୟସଭାରେ ଆଲୋଚନା ପରେ ଭୋଟିଂ ହେବ।

