Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ

କଳାହାଣ୍ଡି,୧୭/୦୪
କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଆୟୋଜିତ ଦ୍ବିଦିବସୀୟ ବିଷୁବ ମିଳନ -୨୬ ଭବାନୀପାଟଣାସ୍ଥ ଟାଉନ ହଲଠାରେ ଉଦଯାପିତ ହୋଇଯାଇଛି। ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ତନ୍ମୟ କୁମାର ଦରୁୱାନ ଓ ସମ୍ମାନିତ ଅତିଥି ଭାବେ ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର ତଥା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରବୋଧ ରଥ ମଂଚାସୀନ ହୋଇଥିଲେ।ସମ୍ପାଦକ ଭବନାଥ ରାୟଗୁରୁ ସ୍ୱାଗତ ବକ୍ତବ୍ୟ ଦେଇଥିଲେ। ମନୋଜ ଶର୍ମା ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଗୁରୁ ଶୁଭ୍ରାଂଶୁ ଶେଖର ମିଶ୍ର ଓ ପରିଷଦ ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଦ୍ୱାରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ନାଟ୍ୟକାର ବିରଞ୍ଚି ନାରାୟଣ ମୁଣ୍ଡଙ୍କ ରଚିତ ଓ ପ୍ରବୋଧ ରଥଙ୍କ ନିର୍ଦେଶିତ ହାସ୍ୟରସାତ୍ମକ ନାଟକ ‘ଗାମୁଛା’ ମଞ୍ଚସ୍ଥ ହୋଇଥିଲା। ଆଜିର ସମାଜରେ କିଛି ଆତ୍ମଘୋଷିତ ଜ୍ଞାନୀ (ଟାଉଟର) ଗାମୁଛା ଖଣ୍ଡେ ମଞ୍ଚରେ ପାଇବା ପାଇଁ କିପରି ଧରାଧରି କରି ଅତିଥି ହେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ଏବଂ ଫଳସ୍ୱରୂପ ପ୍ରକୃତ ଗୁଣୀଲୋକ ଆଗକୁ ଆସିବାକୁ ପସନ୍ଦ ନକରି ନୀରବ ରହିଯାଉଛନ୍ତି ତାହା ନାଟକରେ ପ୍ରତିଫଳିତ ହୋଇଥିଲା। ବିଭିନ୍ନ ଭୂମିକାରେ ଭାଗିରଥି ବେହେରା, ଶୁଭେନ୍ଦୁ ମହାପାତ୍ର, ବିରଞ୍ଚି ନାରାୟଣ ମୁଣ୍ଡ, ରାଜେଶ ଦାସ, ଆଲୋକ ସାହୁ, ସୌରଭ ମହାପାତ୍ର, ଶିବଶକ୍ତି ପୁରୋହିତ ଓ ଦୀପ୍ତିମୟୀ ସିଂହ ଅଭିନୟ କରିଥିବାବେଳେ ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା ସଂଗୀତ ଦେଇଥିଲେ।ଲିପ୍ସା ବାରିକ ନୃତ୍ୟ ନିର୍ଦେଶନା, ପ୍ରତାପ ପଣ୍ଡା ରୂପସଜ୍ଜା ଏବଂ ରୁବି ମହାନ୍ତି ଓ ରାହୁଲ ମିଶ୍ର କଣ୍ଠଦାନ କରିଥିଲେ।ସାଧାରଣ ଗାମୁଛାକୁ କେନ୍ଦ୍ରକରି ଗଢିଉଠିଥିବା ଏଇ ହାସ୍ୟ ରସାତ୍ମକ ନାଟକର ପ୍ରାସଙ୍ଗିକତା ଯେ ଖୁବ ଗୁରୁତ୍ୱ ତାହା ସମାଜ ଅନୁଭବ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ବହୁ କଳାକାର, ବୁଦ୍ଧିଜୀବୀ ତଥା ସାହିତ୍ୟପ୍ରେମୀ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ