ଆମେରିକାକୁ ପୁଣି ଧମକ ଦେଲା ଇରାନ! ହୋର୍ମୁଜ ପ୍ରଣାଳୀ ଉପରୁ ‘ଆମେରିକା’ ଅବରୋଧ ନ ହଟାଇଲେ ଆକ୍ସନ ନେବୁ..
ନୂଆଦିଲ୍ଲୀ| ୪ : ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ୪୮ ଦିନ ପରେ ହୋର୍ମୁଜ ପ୍ରଣାଳୀ ଖୋଲିଛି । ତେହେରାନର ଏହି ନିଷ୍ପତ୍ତି ଉପରେ ଟ୍ରମ୍ପ ଧନ୍ୟବାଦ ଦେଇଛନ୍ତି କିନ୍ତୁ ଆମେରିକା ପୂର୍ବଭଳି ଅବରୋଧ ଜାରି ରଖିବ । ଆମେରିକାର ଏହି ନିଷ୍ପତ୍ତିକୁ ନେଇ ଆମେରିକାକୁ ଧମକ ଦେଇଛି ଇରାନ । ଯଦି ଆମେରିକା ପକ୍ଷରୁ ଏହି ପ୍ରଣାଳୀରେ ଅବରୋଧ ନ ହଟାଯାଏ ତେବେଏହା ବିରୁଦ୍ଧରେ ଆକ୍ସନ ନେବୁ ବୋଲି କହିଛି ତେହେରାନ । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ହୋର୍ମୁଜ ପ୍ରଣାଳୀରେ ପୂର୍ବଭଳି ଜାହାଜର ବାଣିଜ୍ୟ କାରବାରକୁ ସୁରୁଖୁରୁରେ କରିବାକୁ ଏକ ଡଜନରୁ ଅଧିକ ଦେଶ ଏକ ପ୍ରତିରକ୍ଷା ମିଶନରେ ଯୋଗ ଦେବାକୁ ପ୍ରସ୍ତୁତ ରହିଛନ୍ତି । ସେପଟେ ବହୁରାଷ୍ଟ୍ରୀୟ ସୁରକ୍ଷା ମିଶନ ପାଇଁ ପ୍ରସ୍ତୁତି ଉପରେ ଅଲୋଚନା କରିବା ପାଇଁ ଫ୍ରାନ୍ସ ଏବଂ ବ୍ରିଟେନ ପ୍ୟାରିସରେ ଏକ ୪୯ ରାଷ୍ଟ୍ର ବୈଠକର ଅଧ୍ୟକ୍ଷତା କରିଥିଲେ । ଲେବାନନ୍ ଅସ୍ତ୍ରବିରତି ପରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘାଚି ଜଳପଥକୁ ବାଣିଜ୍ୟିକ ଜାହାଜ ପାଇଁ ଖୋଲା କରିବାକୁ ଘୋଷଣା କରିଥିଲେ |
ଆମେରିକାର ଏହି ଅବରୋଧ ନିଷ୍ପତ୍ତିକୁ ନେଇ କଡା ଚେତାବନୀ ଦେଇଛି ଇରାନ | ଯଦି ଆମେରିକା ତାର ବନ୍ଦରଗୁଡିକର ସାମୁଦ୍ରିକ ଅବରୋଧ ଜାରି ରଖେ, ତେବେ ଆମେରିକା ବିରୁଦ୍ଧରେ କଡା ଆଭିମୁଖ୍ୟ ନେବ ଇରାନ |ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ , ଯଦି ଇରାନ ଅର୍ଥନୈତିକ ସ୍ୱାର୍ଥ ଏବଂ ବନ୍ଦରଗୁଡିକକୁ ଟାର୍ଗେଟ କରିବା ବନ୍ଦ ନ ହୁଏ, ତେବେ ଇରାନ ଏକ କଠୋର କୂଟନୈତିକ ମନୋଭାବ ଗ୍ରହଣ କରିବା ବୋଲି ଆଶଙ୍କା କରାଯାଉଛି । ଯଦିଓ ଲେବାନନ ଯୁଦ୍ଧବିରତି ପରେ ଇରାନ ତାର ମନୋଭାବକୁ ନରମ କରିବାକୁ କିଛି ସଙ୍କେତ ଦେଖାଇଛି, ତଥାପି ଏହା ତାର ସାର୍ବଭୌମତ୍ୱ ଏବଂ ସୁରକ୍ଷା ଚିନ୍ତା ଦୃଢ ରହିଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭିତରେ ହୋର୍ମୁଜ ପ୍ରଣାଳୀ ଯୁଦ୍ଧ କ୍ଷେତ୍ର ପାଲଟିଛି | ଇରାନ ଆଇଆରଜିସି ଅନୁମୋଦନ ଏବଂ ଜଳପଥରେ ପରିବହନ କରୁଥିବା ଜାହାଜଗୁଡିକ ଉପରେ ଆମେରିକାର କଟକଣା ଦ୍ୱାରା ଅଟକି ରହିଥିବା ପାଣ୍ଠିକୁ ମୁକ୍ତ କରିଛି । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇଙ୍କ କହିବା ଅନୁଯାୟୀ , ହୋର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କେବଳ ଇରାନ ଦ୍ୱାରା ନିର୍ଦ୍ଦିଷ୍ଟ ରାସ୍ତା ଦେଇ ବାଣିଜ୍ୟ କାରବାର ହେବ । ଇରାନର ରିଭୋଲ୍ୟୁସନାରୀ ଗାର୍ଡ ନିର୍ଦ୍ଦେଶ ଦେଇଛି ଯେ, ସମସ୍ତ ଜାହାଜକୁ ଯିବା ପୂର୍ବରୁ ସେମାନଙ୍କର ଅନୁମତି ନେବାକୁ ପଡିବ । ବେସାମରିକ ଜାହାଜଗୁଡ଼ିକୁ ଇରାନ ଦ୍ୱାରା ନିର୍ଦ୍ଦିଷ୍ଟ ରାସ୍ତା ଦେଇ ଯାତ୍ରା କରିବାକୁ ଅନୁମତି ଦିଆଯିବ । କିନ୍ତୁ ସାମରିକ ଜାହାଜଗୁଡିକୁ ପ୍ରବେଶ କରିବାକୁ କଡ଼ା ବାରଣ କରାଯାଇଛି ।
ଅନ୍ୟପଟେ, ଇରାନ ଅଧିକାରୀ କହିଛନ୍ତି ଯେ, ଆମେରିକା ଦ୍ୱାରା ଫ୍ରିଜ୍ କରାଯାଇଥିବା ପାଣ୍ଠିକୁ ମୁକ୍ତ କରିବା ଏହି ଚୁକ୍ତିର ଏକ ଅଂଶ ରହିଥିଲା । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୋସିଆଲ ମିଡିଆରେ ଇରାନର ଜଳପଥ ଖୋଲିବା ଘୋଷଣାକୁ ଉଲ୍ଲେଖ କରିଛନ୍ତି । ବିଶ୍ୱର ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗଣର ୨୦ ପ୍ରତିଶତ ବହନ କରୁଥିବା ଏହି ଜଳପଥ, ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ପରେ ବନ୍ଦ ହୋଇଥିଲା । ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତିଯେ, ହୋର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଏକ ଜରୁରୀ ଆବଶ୍ୟକତା ଏବଂ ଏକ ଦାୟିତ୍ୱ ମଧ୍ୟ | ତେବେ ହୋର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳା ଉପରେ ଗୁରୁତର ପ୍ରଭାବ ପଡିଛି ।

