ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦଘାଟନ ପୂର୍ବରୁ ରାଜସ୍ଥାନର ପଚପଦରା ରିଫାଇନାରୀରେ ଭୟାବହ ଅଗ୍ନିକାଣ୍ଡ!
ରାଜସ୍ଥାନ, ୨୦ |୪: ଆସନ୍ତା କାଲି ଉଦଘାଟନ ହୋଇ ଥାଆନ୍ତା କିନ୍ତୁ ତା’ ପୂର୍ବରୁ ଘଟିଗଲା ବଡ ଦୁର୍ଘଟଣା | ଉଦଘାଟନ ହେବାର ୨୪ ଘଣ୍ଟା ପୂର୍ବରୁ ଦେଶର ସବୁଠୁ ବଡ଼ ତେଲ ରିଫାଇନାରୀରେ ଘଟିଲା ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ରାଜସ୍ଥାନର ବାଲୋତରା ଜିଲ୍ଲାର ପଚପଦରା ରିଫାଇନାରୀରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ପ୍ଲାଣ୍ଟକୁ ମଙ୍ଗଳବାର ଅର୍ଥାତ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଏହା ପୂର୍ବରୁ ଘଟିଗଲା ବଡ ଅଘଟଣ । ନିଆଁ ଲାଗିବା ପରେ ରିଫାଇନାରୀରୁ ପ୍ରବଳ ଧୂଆଁ ନିର୍ଗତ ହେବାରେ ଲାଗିଛି । ଯାହା ଫଳରେ ଆଖପାଖ ପରିବେଶ ପୁରା ଧୁଆଁମୟ ହୋଇ ଯାଇଛି | ଏହାପରେ କର୍ମଚାରୀ ଅଗ୍ନି ନିର୍ବିପାକ ଯନ୍ତ୍ର ଦ୍ୱାରା ନିଆଁକୁ କାବୁ କରିବାକୁ ଉଦ୍ୟମ ଚଲାଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଆଉ କିପରି ଏହି ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ |
ରିଫାଇନାରୀର ସିଡିୟୁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି | ନିଆଁ ଲାଗିବା ପରେ ରିଫାଇନାରୀରେ ଆତଙ୍କ ଖେଳି ଯାଇଥିଲା | ସେପଟେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୧୧ଟାରେ ରିଫାଇନାରୀର ଉଦଘାଟନ କରିବେ।
ସୂଚାନଯୋଗ୍ୟ, ବାଲୋଜରା ଜିଲ୍ଲାରେ ଥିବା ଏହି ପଚପଦରା ରିଫାଇନାରୀକୁ ରାଜସ୍ଥାନର ଉନ୍ନତ ଅର୍ଥବ୍ୟବସ୍ଥାର ଏକ ବଡ ସ୍ରୋତ ବୋଲି ମନାଯାଏ | ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ନିବେଶ ଏବଂ ରୋଜଗାରର ନୂଆ ଅବସର ସୃଷ୍ଟି ହେବ । ଏହି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି ଯେ, ଏହି ରିଫାଇନାରୀ ହେଉଛି ରାଜସ୍ଥାନ ବିକାଶର ଏକ ମାଇଲ ଖୁଣ୍ଟ । ସେ ଆହୁରି କହିଛନ୍ତି, ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ୨୬ ପ୍ରତିଶତ ଅଂଶ ରହିବ। ଏହାଦ୍ବାରା ହଜାର ହଜାର ପ୍ରତ୍ୟକ୍ଷ ଏବଂ ଲକ୍ଷ ଲକ୍ଷ ଅପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ।
ତେବେ ଅଶୋକ ଗେହଲଟଙ୍କ କ୍ଷମତାରେ ସରକାର ଥିବା ସମୟରେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ସେପ୍ଟେମ୍ବର ୨୨, ୨୦୧୩ରେ ପ୍ରଥମ ଥର ପାଇଁ ଏହି ରିଫାଇନାରୀର ଶିଳାନ୍ୟାସ କରାଯାଇଥିଲା, ଯାହାର ପ୍ରାରମ୍ଭିକ ଆକଳନ ମୂଲ୍ୟ ୩୭,୨୩୦ କୋଟି ଟଙ୍କା ଥିଲା। କିନ୍ତୁ ସରକାର ପରିବର୍ତ୍ତନ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୬, ୨୦୧୮ରେ ଏହି ପ୍ରକଳ୍ପକୁ ପୁନଃ ଶୁଭାରମ୍ଭ କରିଥିଲେ, ଯାହାର ମୂଲ୍ୟ ୪୩,୧୨୯ କୋଟି ଟଙ୍କାକୁ ସଂଶୋଧନ ହୋଇଥିଲା ।

