ନାବାଳିକାଙ୍କ ଗର୍ଭପାତ ଆବେଦନ ମାମଲା, ଭୁବନେଶ୍ୱର ଏମ୍ସ ମେଡିକାଲ ବୋର୍ଡ ପକ୍ଷରୁ ରିପୋର୍ଟ ଦାଖଲ
କଟକ, ୭ |୫ : ନିକଟରେ ଗର୍ଭପାତ ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଥିଲେ । ଏକ ୧୫ ବର୍ଷୀୟା ଦୁଷ୍କର୍ମ ପୀଡିତାଙ୍କୁ ୩୦ ସପ୍ତାହ ପରେ ଗର୍ଭପାତ ଅନୁମତି ଦେବା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏମ୍ସର କ୍ୟୁରେଟିଭ୍ ପିଟିସନ୍ ଉପରେ ଆପତ୍ତି ପ୍ରକାଶ କରିଥିଲେ। ଏହା ବଦଳରେ ୨୦ ସପ୍ତାହ ପରେ ମଧ୍ୟ ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେବା ପାଇଁ ଆଇନରେ ସଂଶୋଧନ ଉପରେ ବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟ ସ୍ପଷ୍ଟ ଉଲ୍ଲେଖ କରିଥିଲେଯେ, ଯଦି ଦୁଷ୍କର୍ମରୁ ଗର୍ଭଧାରଣ ହୁଏ, ତେବେ ସେଥିପାଇଁ କୌଣସି ପ୍ରକାରର ସୀମା ରହିବା ଉଚିତ୍ ନୁହେଁ । ସମୟ ହିସାବରେ ଆଇନ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ ଅଛି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠରେ କୁହାଯାଇଥିଲାଯେ, ଶିଶୁଙ୍କୁ ଦୁଷ୍କର୍ମ ମାମଲା ଏବଂ ଯଦି ଗର୍ଭପାତକୁ ଅନୁମତି ଦିଆ ନ ଯାଏ, ତେବେ ପୀଡିତା ଜୀବନ ସାରା ମାନସିକ ଅଶାନ୍ତିର ପୀଡ଼ା ଭୋଗିବେ।
ତେବେ ସୁପ୍ରିମକୋର୍ଟଙ୍କ ରାୟରେ ଉପରେ ଏମ୍ସ ଭୁବନେଶ୍ୱରର ମେଡିକାଲ ବୋର୍ଡ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି | ୩୧ ସପ୍ତାହର ଗର୍ଭଧାରଣ ସମୟରେ ଗର୍ଭପାତ କରାଇଲେ ନାବାଳିକାଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ବିଭିନ୍ନ ସମସ୍ୟା ହୋଇପାରେ ବୋଲି ଏମ୍ସ ଭୁବନେଶ୍ୱରର ମେଡିକାଲ ବୋର୍ଡ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏନେଇ ଏକ ରିପୋର୍ଟ ବୁଧବାର ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଛି। ମାମଲାର ଶୁଣାଣି କରି ଜଷ୍ଟିସ ବି.ପି. ରାଉତରାୟ ଆବେଦନକାରୀଙ୍କ ଓକିଲଙ୍କୁ ମେଡିକାଲ ରିପୋର୍ଟର କପି ଯୋଗାଇବାକୁ ନିର୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୭କୁ ଧାର୍ଯ୍ୟ କରିଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ , ଏମ୍ସ ଭୁବନେଶ୍ୱରର ୯ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ମେଡିକାଲ ବୋର୍ଡ ନାବାଳିକାଙ୍କୁ ପରୀକ୍ଷା କରିଥିଲା। ବୋର୍ଡର ରିପୋର୍ଟରେ କୁହାଯାଇଛି ଯେ, ନାବାଳିକା ୩୧ ସପ୍ତାହର ଗର୍ଭବତୀ ଅଛନ୍ତି। ଆଉ ଏହିଭଳି ସ୍ଥିତିରେ ଗର୍ଭପାତ କରାଇଲେ ଅତ୍ୟଧିକ ରକ୍ତସ୍ରାବ, ସଂକ୍ରମଣ, ସିଜେରିଆନ୍ ଆବଶ୍ୟକତା, ଆଇସିୟୁରେ ଭର୍ତ୍ତି, ରକ୍ତ ଦେବା ଆବଶ୍ୟକତା ଏବଂ ମାତୃମୃତ୍ୟୁର ଆଶଙ୍କା ରହିଥାଏ । ସୁରକ୍ଷିତ ପରିଣାମ ପାଇଁ ଗର୍ଭଧାରଣକୁ ୪୦ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିବା ସହ ଠିକ୍ ଆଣ୍ଟିନେଟାଲ କେୟାର କରାଯିବା ଉଚିତ ବୋଲି ମେଡିକାଲ ବୋର୍ଡ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିଶ କରିଛି |

