ରୋଗୀଙ୍କ ସୁରକ୍ଷାରେ ଅବ୍ୟବସ୍ଥା! ୬ ଦିନରେ ଗଲାଣି ୭ ଗର୍ଭବତୀଙ୍କ ଜୀବନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ନିର୍ଦେଶ
ସମ୍ବଲପୁର, ୭ | ୬ : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲା ଭିମସାର ମେଡିକାଲ୍ ରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଗତ ୬ ଦିନ ମଧ୍ୟରେ ୭ ଜଣ ଗର୍ଭବତୀଙ୍କ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୮ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ମୃତ୍ୟୁ ପଛର କାରଣ ଓ ମେଡିସିନ୍ର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ଡ. ଲାଲମୋହନ ନାୟକ।
ନିର୍ଦ୍ଦେଶକ ଡ. ନାୟକଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ୧ ରୁ ୬ ତାରିଖ ମଧ୍ୟରେ ୭ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି। ଉଚ୍ଚ ରକ୍ତଚାପ ପାଇଁ ୩ ଜଣ, ସିକିଲ ସେଲ୍ ରୋଗ ପାଇଁ ଜଣେ, ରକ୍ତସ୍ରାବ ପାଇଁ ଜଣେ ଏବଂ ନିରାପଦ ଗର୍ଭପାତ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ସ୍ୱାଭାବିକ ପ୍ରସବ ସମୟରେ ଦୁର୍ଭାଗ୍ୟବଶତଃ ଅନ୍ୟ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି। ତେବେ ଗୋଟିଏ ମେଡିସିନ୍କୁ ନେଇ କିଛି ଗର୍ଭବତୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। କିନ୍ତୁ ପ୍ରାଣ ହରାଇଥିବା କେବଳ ଜଣେ ଗର୍ଭବତୀଙ୍କ ଠାରେ ଏହି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେଣୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ହେଉଛି। ତେବେ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବା ବୋଲି ଡ. ନାୟକ କହିଛନ୍ତି।

