ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା! ଇସ୍ତଫା ଦେବାକୁ ମନା କରିବାରୁ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ
ପଶ୍ଚିମବଙ୍ଗ,୮।୫ : ପଶ୍ଚିମବଙ୍ଗର ରାଜ୍ୟପାଳ ଆରଏନ୍ ରବି ଗୁରୁବାର ରାଜ୍ୟ ବିଧାନସଭା ଭଙ୍ଗ କରିଛନ୍ତି। ଏଥିସହିତ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ଅନ୍ତ ଏବଂ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ତେବେ ବିଧାନସଭା ନିର୍ବାଚନରେ ଟିଏମସିର ଅଧକ୍ଷ ମମତା ବାନାର୍ଜୀ ପରାଜୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଯାହା ଫଳରେ ରାଜ୍ୟପାଳ ଏଭଳି ପଦକ୍ଷେପ ନେଇଛନ୍ତି। ସମ୍ବିଧାନର ଧାରା ୧୭୪(୨)(ଖ) ଅନୁସାରେ ରାଜ୍ୟପାଳ ତାଙ୍କ କ୍ଷମତାର ବ୍ୟବହାର କରି ବିଧାନସଭାକୁ ଭଙ୍ଗ କରିଦେଇ ଛନ୍ତି। ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏବେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ନ କରିବା ପର୍ଯ୍ୟନ୍ତ ରାଜ୍ୟପାଳ ରାଜ୍ୟ ଶାସନ ଦାୟିତ୍ବ ନିର୍ବାହ କରିବେ। ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଶୋଚନୀୟ ପରାଜୟ କରିଥିବାବେଳେ ଦୀର୍ଘ ବର୍ଷ ପରେ ବିଜେପି ତାର ଆଧିପତ୍ୟ ବିସ୍ତାର କରିଛି । କିନ୍ତୁ ଟିଏମସିର ଏହି ବିଫଳତାକୁ ମମତା ବାନାର୍ଜୀ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯ ବିଜେପି ଜାଲିଆତି କରି ଏହି ନିର୍ବାଚନରେ ବିଜୟ ହୋଇଛି। ବିଜେପି ୧୦୦ ଆସନ ଲୁଟ୍ କରିଥିବା ସେ କହିଛନ୍ତି। ତେବେ କେବଳ ବିଜେପିକୁ ନୁହେଁ ଜାତୀୟ ନିର୍ବାଚନ କମିଶନ ଉପରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମମତା । ସେ କହିଛନ୍ତି ବିଜେପିର ଏହି ଜାଲିଆତି ଭୋଟ ଚୋରିରେ ନିର୍ଵାଚନ କମିଶନଙ୍କ ସମର୍ଥନ ରହିଛି ।
ସୂଚନା ଅନୁଯାୟୀ, କାଳୀଘାଟ ଅଞ୍ଚଳରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନର ଚାରିପାଖରୁ ସୁରକ୍ଷା ବ୍ୟବସ୍ଥା ହଟେଇ ଦିଆଯାଇ ଛି। ମମତା ଓ ଅଭିଷେକଙ୍କ ବାସଭବନ ପାଖରେ ଥିବା ବ୍ୟାରିକେଡ୍, ପୁଲିସ କିଓସ୍କ, ସ୍କାନର୍ ମେସିନ୍ ଏବଂ ସର୍ଭେଲାନ୍ସ ସିଷ୍ଟମଗୁଡ଼ିକୁ ହଟାଇ ଦିଆଯାଇଛି। ହରିଶ ମୁଖାର୍ଜୀ ରୋଡ୍ରେ ଥିବା ଅଭିଷେକଙ୍କ ବାସଭବନ ‘ଶାନ୍ତିନିକେତନ’ ବାହାରେ ଥିବା ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।

